Unknown

 

 

 

 

 

 

 

 

 

 

ପ୍ରକୃତି ବର୍ଣ୍ଣନ

ରାଧାମୋହନ ରାଜେନ୍ଦ୍ରଦେବ

 

ହେମନ୍ତ ବର୍ଣ୍ଣନ

 

ପ୍ରବେଶ ହୋଇ ହେମନ୍ତ                  ବିରହୀ ସଙ୍ଗେ ହେମନ୍ତ

କରି ଯୁଗଳକୁ ଏକତ୍ୱ ପ୍ରଦାନ

କଲା ଏକକୁ ପଞ୍ଚତ୍ୱ (୧)।୧।

 

ରୋହିଣୀ ହୋଇ ସକାନ୍ତ                  ଉଦୟ ହେଉ ହେମନ୍ତ

ବେନି ଭାଦ୍ର (୨) ବ୍ୟାଜେ ଖ ମଧ୍ୟେ

ପଲ୍ୟଙ୍କ ସାଜିଲା ହୋଇ ହର୍ଷିତ।୨।

 

ବ୍ୟୋମ ବନ ମଧ୍ୟେ ତୋଷେ       ଆର୍ଦ୍ରା ଖେଟାନଳ ପାର୍ଶ୍ୱେ ଲୁବ୍ଧକ।୩।

ନିଶୀଥେ ମୃଗଶିରା

ଦେଖୁଁ ଡାଲି ବେଣ୍ଟ ପରି ଦିଶେ।୩।

(୧) ପଞ୍ଚତ୍ୱ-ମରଣା।

 

(୨) ବେନି ଭାଦ୍ର- ପୂର୍ବଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରଦ୍ୱୟ, ଏ ତାରାଦ୍ୱୟ ଭାରାକୃତିରେ ରହି ପଲ୍ୟଙ୍କ ପରି ପ୍ରତୀତ ହୁଅନ୍ତି।

 

(୩) ଲୁବ୍ଧକ- ନକ୍ଷତ୍ରବିଶେଷ।

ପ୍ର: ଅଶୀତଭାଗୈଯାମ୍ୟାୟାମଗସ୍ତ୍ୟୋ ମିଥୁନାନ୍ତଗଃ।

ବିଂଶେ ଚ ମିଥୁନସ୍ୱାଂଶେ ମୃଗବ୍ୟାଧୋବ୍ୟବସ୍ଥିତଃ।

 

ମୃଗବ୍ୟାଧୋଲୁବ୍ଧକଃ ମିଥୁନରାଶେର୍ବିଂଶତିଭାଗେ ସ୍ଥିତଃ

ସପ୍ତର୍ଷି ଅନନ୍ତ ପଥେ            ପ୍ରକାଶ ଛଳେ ନିଶୀଥେ

ହେମନ୍ତ ଧରାକୁ ଅବତରିଲା କି

ରମଣୀୟ ଅଶ୍ୱରଥେ।୪।

 

ପୁରାଣ ମୁକ୍ତାପ୍ରକର            ଅକଟା ହୀରା ପ୍ରକାର

ବିରଳେ ନଭରେ ନିସ୍ତେକେ

ପ୍ରକାଶ ହେଲେ ନକ୍ଷତ୍ରନିକର।୫।

 

ସରୋଜିନୀକି ହେମନ୍ତ                  କ୍ଲାନ୍ତ କରୁ ଦିବାକାନ୍ତ

ସେହୁ ଧନୁ ସ୍ପର୍ଶ କରି ହାରି

ବହ୍ନିପଦରେ ହେଲେ ଆଶ୍ରିତ।୬।

 

ସମ୍ପଦଭ୍ରଷ୍ଟ ନରେଶ            ବିଷହୀନ ଆଶୀବିଷ

ପରି ପର୍ବ ଦିଶିଲେ ଦିନେଶ

ପୂର୍ବ ଶୋଭା କରି ହାସ।୭।

 

ଜରଦବ ପରାକ୍ରମ-            ଶୂନ୍ୟ ମୃଗରାଜ ସମ

ବ୍ୟୋମବନେ ଅଳ୍ପ ଭ୍ରମି ସେ

ଅସ୍ତାଦ୍ରିଦରୀରେ କଲେ ବିଶ୍ରାମ।୮।

 

ଚାହି ପତିର ଏ ଦଶା            ବିରସେ ପଥିକଯୋଷା

ପରି କୃଶ ହେଲା ଦିବା ସଙ୍କୋଚିଲା

ସେ କି ପ୍ରବଳନ୍ତେ ନିଶା।୯।

 

ଭଯାଳୁ ପ୍ରତାପ କ୍ରୂର            ବିଶ୍ୱାସ ଅଳସୁଆର

ପ୍ରତିଜ୍ଞା କାମୀର ନିୟମ ପ୍ରକାର

ସ୍ୱଳ୍ପ ବିକାଶ ବାସର।୧୦।

 

କୁଳଟା କାମିନୀ ହାସ            ପ୍ରୌଢ଼ାର ସୁରତ ଆଶ

ନବୀନା ମନ୍ଦାକ୍ଷ ସତୀସ୍ନେହନିଭ

ରଜନୀ ହେଲା ବିଶେଷ।୧୧।

 

ବ୍ୟସନ ଯଥା ପଣ୍ଡିତ-            ପ୍ରତିଭା କରଇ ହତ

ରଜନୀନାୟକ କାନ୍ତି ନାଶ କଲା

ତଥା ତୁଷାରସମ୍ପାତ।୧୨।

 

ଯେମନ୍ତ ଅନଧିକାରେ            କମାମାନେ ଗଞ୍ଜାମରେ

ପ୍ରବଳିଲେ ମୋଦେ ପ୍ରଭାତେ ଦିଗନ୍ତେ

ତଥା କୁହୁଡ଼ି ପ୍ରସରେ।୧୩।

 

ବାହ୍ୟସ୍ଥ ବାୟୁମଣ୍ଡଳ            ଆକାଶେ ହେଉ ଶୀତଳ

ଅନ୍ତର୍ଗତ ତପ୍ତି ଯୋଗୁଁ ଜଳ ବାଷ୍ପ

ହୋଇ ଉଠିଲା କେବଳ।୧୪।

 

ନିଶାରେ ଶୀତ ସମୀର            ସ୍ପର୍ଶୁ ତା ଉଷ୍ମତ୍ୱ ଦୂର

ହୋଇ ସେ ଭୁବନେ ପଡ଼ନ୍ତେ

ତାହାକୁ ଜନେ ଭାଷିଲେ ତୁଷାର।୧୫।

 

ଧୀବନ୍ତ ଅପେକ୍ଷା ଯଥା            ବିପଦ ମୂର୍ଖକୁ ବ୍ୟଥା

ଦିଅଇ ହେମନ୍ତ ମସ୍ତକରୁ ବଳି

ପାଦକୁ ପୀଡ଼ିଲା ତଥା।୧୬।

 

କାନ୍ତା କଟୂକ୍ତି ପ୍ରକାର            ଉତ୍ତରାନିଳ ତସ୍କର

ନିଭ ଚନ୍ଦ୍ର ସର୍ପ ସମ ଶୀତୋଦକ

ପୀଡ଼ା ଦେଲା ନିରନ୍ତର।୧୭।

 

ସନ୍ତାନଲାଭ ସମାନ             ଭାନୁକର ଶାମାସ୍ତାନ

ତୁଲ୍ୟ ନିର୍ଦ୍ଧୂମାଗ୍ନି ଦ୍ରବ୍ୟପ୍ରାପ୍ତି ପରି

ବ୍ୟାୟାମ ହେଲା ମୋଦନ।୧୮।

ସେବତୀସୁମଶୋଭନା            ତୁଷାରଶ୍ୱେତବସନା

ସଦା ସୂରକର (୧) ସ୍ପୃହଣୀୟା

ହେଲା ପ୍ରକୃତି ଦେବୀ ଅଧୁନା।୧୯।

(୧) ସୂରକର-ସୂର୍ଯ୍ୟକର।

ଧୁସ୍ତୂର ବିଜୟ ତୂର            ଇଟଲାଗୁଚ୍ଛ ଚାମର

ସେବତୀ ଛତ୍ରକୁ ଧରାଇ ପୁନ୍ନାଗ

ଆରୋହୁ ହେମନ୍ତ ବୀର।୨୦।

ଶାରିକା ପକ୍ଷୀ ମଧୁରେ            ମଙ୍ଗଳଗୀତ ଉଚ୍ଚାରେ

କପୋତବିରୁତ କୈତବେ ଆନକ

ଶବ୍ଦ ଦିଗନ୍ତେ ପ୍ରସରେ।୨୧।

ଲୋଧ୍ର ପ୍ରିୟଙ୍ଗୁ(୨) ପ୍ରକର      ସୁଶୋଭିତ ମହୀଧର

(୧) ପ୍ରିୟଙ୍ଗୁ-ଶାମାଲତା

ବ୍ୟାଜେ କି ପ୍ରକୃତି ପ୍ରମଦା ପ୍ରମୋଦେ

ପକାଇ ପଟମନ୍ଦିର।୨୨।

 

ପତିତ ଧାତକୀ(୧) ଫୁଲ                  ନାନାବିଧ ମକଦଲ

(୧) ଧାତକୀ- ପୁଷ୍ପଜାତୀୟ ଗୁଳ୍ମବିଶେଷ।

ଫଫସ କନ୍ୟରଦଲେ ଚାରୁ ତଳ୍ପ

ସାଜିଛି ହୋଇ ଉତ୍‌ଫୁଲ୍ଲ।୨୩।

ଗୁଲାଫସୂନାର୍ଘ୍ୟସ୍ଥାଳୀ            ଧରି ମୋଦେ ସହଚରୀ (୨)

(୨) ସହଚୀ-ଦାସକେରଣ୍ଟା।

ନିକର ଭ୍ରମରଝଙ୍କାର କପଟେ

ଦେଉଛନ୍ତି ହୁଳହୁଳି।୨୪।

ଏ କାଳ ପ୍ରଭାବୁଁ ରସ-            ପତ୍ରାଳୀ ସୁମନ ନାଶ

ହୁଅନ୍ତେ ସମ୍ପ୍ରତି ପଦ୍ମିନୀ ଲୁଚିଲା

ବିଧବା ନାରୀ ସଦୃଶ।୨୫।

ବିରହିଣୀ ନାରୀ ପରି            ତୁଷାରସ୍ୱେଦରେ ପୂରି

ପାଣ୍ଡୁର ଦିଶିଲା ଭୂଦେବୀ ସୁପକ୍ଵ

ଶାଳୀ ପୁଲକାଙ୍ଗେ ଧରି।୨୬।

ଧନାଢ଼୍ୟଙ୍କୁ ଦସ୍ୟୁବଂଶ            କଦନ ଦେବା ସଦୃଶ

କର୍ଷକଗଣକୁ ପୀଡ଼ିଲେ ବରାହକୁଳ

କରି ଶସ୍ୟ ଗ୍ରାସ।୨୭।

 

ଜନରବକୁ ନ ମାନି            ଯଥା କୁଳଟା କାମିନୀ

ଜାର ପାଶେ ଯାଏ ତଥା

ଶାଳୀବନେ ଗମିଲେ କୁରଙ୍ଗୀଶ୍ରେଣୀ।୨୮।

ଉତ୍କଳ ସମ୍ପତ୍ତି ବଳେ            କଳେ ତେଲୁଗୁ ଓକିଲେ

ସମ୍ପାଦିଲା ପରି ଧାନ ନେଲା ମୂଷା

ପରସ୍ୱ ନ ଭାବି ତିଳେ।୨୯।

ବରଜି ନିର୍ମ୍ମଳ ଜଳ             ମୋଦେ ଧାର୍ତ୍ତରାଷ୍ଟ୍ରକୁଳ

ଗମିଲେ କେଦାରେ ଯାଚକନିକର

ଦାତାକୁ ଘେରିବା ତୁଲ।୩୦।

ହାଳିକମହିଳାମାନେ            କେଦାର ଦ୍ରବ୍ୟ ପାଳନେ

କରତାଳି ଦେଇ ପତତ୍ରିତତିକି

ଅଡ଼ାନ୍ତି ମଧୁର ସ୍ୱନେ।୩୧।

ଅଗ୍ନିହୋତ୍ରୀ(୧) ପରକାର       କର୍ଷକକୁଳ କେଦାର-

(୧) ଅଗ୍ନିଦ୍ରୋହୀ-ଅଗ୍ନିସ୍ଥାପନପୂର୍ବକ

ସାହାହ୍ନ ହୋମନିବିଷ୍ଟ ବ୍ୟକ୍ତି।

କୁଟୀରେ ଅନଳ ଜାଳି ରଜନୀରେ

ଶୀତରୁ ହେଲେ ଉଦ୍ଧାର।୩୨।

 

ତୋଷ ପ୍ରକୃତି(୨) ପ୍ରକର                  ସମର୍ପନ୍ତେ ନିଜ କର

ପ୍ରକୃତି-ଦେଶୀୟ ପ୍ରଜା।

ନୃପତି ଭଣ୍ଡାର ବୃଦ୍ଧି ହେଲା ଯଥା

ସିତପକ୍ଷ କଳାକର।୩୩।

 

କେଦାରସମ୍ପତ୍ତିଚୟ            ସଦନେ କଲେ ସଞ୍ଚୟ

ନିଃସ୍ୱ ଜନେ ସୁଦ୍ଧା କ୍ଷୁଧାର୍ତ୍ତ ନୋହିଲେ

ଧରା ହେଉ ଶସ୍ୟମୟ।୩୪।

 

ଆମ୍ବଡ଼ା ଜାମ ଜମ୍ଭୀର            କମଳା ନାରଙ୍ଗ ଫଳ

କପିଥ୍ଥ ଘେନି କି ବନଶ୍ରୀ ହେମନ୍ତ

ପଦେ ଦେଲା ଉପହାର।୩୫।

 

ଜାପକ ରୁଦ୍ରାକ୍ଷମାଳ            ବୃକ୍ଷେ ଲମ୍ବାଇବା ତୁଲ

ଫଳେ ପୂର୍ଣ୍ଣ ହୋଇ ଦିଶେ

ଫଳଆଳୁ ମସିଆ ଅତି ମଞ୍ଜୁଳ।୩୬।

 

ସରିସୃପ ଡିମ୍ଭବ୍ରାତ            ଭୂଗର୍ଭେ ବଢ଼ିବାବତ

ଲସୁଣ ପିଆଜ ଆଳୁ କୁଜି ସାରୁ

କ୍ରମେ ହେଲା ସମ୍ବର୍ଦ୍ଧିତ।୩୭।

 

ଫଳନ୍ତେ କଣ୍ଟାଇକୋଳି             ବଇଞ୍ଚ ଝାଟି ବଦରୀ

ନିରାଶ ରାହାଣ ନରକୋଳିବାର

ଭକ୍ଷିଲେ ମୋଦେ ଖଗାଳି।୩୮।

 

ପଲ୍ଲବିଲା ଦମନକ             କୁରୁବଲ୍ଲୀ ମରୁବକ

ପଦିନା ସୁମନା ସହିତେ ନବୀନା

ମୋଦେ କରିବେ ସ୍ତବକ।୩୯।

 

ମନ୍ଦସ୍ୟନ୍ଦୀ ନିର୍ଝରିଣୀ      ଜଳ ଦେଖି ପକ୍ଷିଶ୍ରେଣୀ

ନିମଜ୍ଜି ବନାନ୍ତେ ଭ୍ରମିଲେ ପ୍ରମଦେ

ଶୀତଭୀତିକି ନ ଗଣି।୪୦।

 

ଶିଶୁ ସଦୃଶ ତିତ୍ତିରି            ଧାତ୍ରୀ ଉତ୍ସଙ୍ଗେ ବିହରି

ଅବ୍ୟକ୍ତ ମଧୁର ଧ୍ୱନି କଲା

ପୁନଃପୁନ ପୟଃପାନ କରି।୪୧।

 

ଶ୍ୟେନ ବାୟସ ଉଲୂକେ            ସଦା ରାବିଲେ ଉତ୍ସୁକେ

କାମଜ ଗୁଣ୍ଡୁରୀ ଗୋବରା ଚଢ଼ାଇ

ପାଳିଲେ କେତେକ ଲୋକେ।୪୨।

 

ହିମାଚଳବିନିର୍ଗତ            ମରୁତ ସ୍ପର୍ଶୁଁ ଦର୍ପିତ

କୁଞ୍ଜର ମହିଷ ଶାର୍ଦ୍ଦୂଳ ପଞ୍ଚାସ୍ୟ

ଖଡ଼୍ଗେ ମଦ୍ୟପାୟୀବତ।୪୩।

 

ଉରଭ୍ର(୧) ଭଲ୍ଲୂକ ଛାଗ      ଶଲ୍ୟ(୨) ଶଶ ଇହାମୃଗ(୩

(୧) ଉରଭ୍ର-ମେଣ୍ଢା। (୨) ଶଲ୍ୟ-ଝିଙ୍କ। (୩) ଇହାମୃଗ-ହଳିଆକୁକୁର।

ସ୍ୱଚ୍ଛନ୍ଦେ ବୁଲିଲେ ବାନରେ କମ୍ପିଲେ

ଜ୍ୱରରୋଗଙ୍କ ସଦୃଶ।୪୪।

 

କ୍ରୂର ପର ଉପକାର            ବରଜିବା ପରକାର

ନିର୍ମୋକକୁ ତେଜି ସରୀସୃପରାଜି

ନିର୍ଭୟେ କଲେ ସଞ୍ଚାର।୪୫।

 

ଅମୃତପାନପ୍ରମତ୍ତ            ହୋଇ ସନ୍ତାପରହିତ

ଅମ୍ବରେ ଶୋଭିତ ନରନାରୀବ୍ରାତ

ଭ୍ରମିଲେ ଦୈବତବତ।୪୬।

 

ଚନ୍ଦ୍ର ଚନ୍ଦନେ ଆଦର      ତେଜି ଧନବନ୍ତ ନର

ବସନ ପିଧାନେ କଚ୍ଛପ ସମାନେ

ଲୁଚାଇଲେ ସ୍ୱଶରୀର।୪୭।

 

ମଧ୍ୟରେ ଜାଳି ହସନ୍ତୀ(୪)      ଗରିବେ ଘେରି ବସନ୍ତି

(୪) ହସନ୍ତୀ-ଅଗ୍ନିସଞ୍ଚିତପାତ୍ର।

ବହୁବିଧ ଗଳ୍ପ ସଙ୍ଗେ ହେମନ୍ତର ମାହାତ୍ମ୍ୟ କହି ହସନ୍ତି।୪୮।

 

ବରଜି ବନବିହାର            ରଚିଲେ ବନବିହାର

ଚନ୍ଦ୍ରାତପ ତେଜି ଚନ୍ଦ୍ରାତପ(୫) ତଳେ

ବାଳକେ ବିହିଲେ ଖେଳ।୪୯।

 

(୫) ଚନ୍ଦ୍ରାତପ- ଚନ୍ଦୁଆ।

କଷବାସ ପରିଧାନେ      କୁଙ୍କୁମଦ୍ରବାପଘନେ

ଅଗୁରୁ। ଧୂପସୁବାସିତ ସଦନେ

ପ୍ରମୋଦେ ଦମ୍ପତିମାନେ।୫୦।

 

କର୍ପୂର କସ୍ତୁରୀଯୁତ            ତାମ୍ବୂଳସୀଧୁବାସିତ

ବଦନେ କୌଷେୟାସ୍ତରଣେ(୧) ମଜ୍ଜିଲେ

ହୋଇ ଗାଢ଼ ରତିକ୍ଲାନ୍ତ।୫୧।

(୧) କୌଷେୟାସ୍ତରଣ-ପଟ୍ଟଶର୍ଯ୍ୟା।

 

କେତେ ସୀମନ୍ତିନୀ ଲୋଳେ      ଉପବନ ଲତାଦୋଳେ

କେତେକ କନ୍ଦୁକେ କ୍ରୀଡ଼ା କଲେ

 

ଯଥା ସୌଦାମିନୀ ଘନକୋଳେ।୫୨।

ଫିଟନ୍ତେ ସୁଝିନବାସ      ମୃଦୁଳ କୁନ୍ତଳପାଶ

ଶ୍ରମସ୍ୱେଦ ପୂର୍ଣ୍ଣ ବଶୁଁ ସେ ଦିଶିଲେ

ରତାନ୍ତ କାନ୍ତାସଙ୍କାଶ।୫୩।

ରତିରସବିଚକ୍ଷଣା            ପୃଥୁଳସ୍ତନଜଘନା

ନବୀନା ସୁମନା ହରିବ ଅଧୁନା

ରସିକ ସ୍ମରବେଦନା।୫୪।

ପୁରନ୍ଧ୍ରୀ ଜନେ ସତ୍ୱରେ            ମାର୍ଗଶେଷ ଗୁରୁବାରେ

ଲକ୍ଷ୍ମୀଉପାସନ ବ୍ରତ ସମାପନ

କଲେ ଅତି ହରଷରେ।୫୫।

ପ୍ରଥମାଷ୍ଟମୀ ଦିବସେ            ଧନାଢ଼୍ୟଜନେ ରଭସେ

ଜ୍ୟେଷ୍ଠ ସନ୍ତାନଙ୍କ ବନ୍ଦାପନା ବିଧିମତେ

ସାରିଲେ ଉଲ୍ଲାସେ।୫୬।

ଖ୍ରୀଷ୍ଟଙ୍କ ଜନ୍ମଦିବସ            ନିଶୀଥେ ଇଂରାଜବଂଶ

ଚର୍ଚ୍ଚରେ ପ୍ରାର୍ଥନା କରନ୍ତେ ଶୁଭିଲା

ଶୃଗାଳରଡ଼ି ସଦୃଶ।୫୭।

 

ଆଖେଟ ବିଦ୍ୟାଧ୍ୟୟନ            ବ୍ୟାୟାମ ବନ୍ୟ ଭୋଜନ

ଯୁଦ୍ଧୋତ୍ସବ ତୀର୍ଥଯାତ୍ରା କରଣେ

ଏ ଅଟେ ଉପଯୁକ୍ତ ଦିନ।୫୮।

 

ତପନ ତରୁଣୀ ତୈଳ            ତପ୍ତାନ୍ନ ତଳ୍ପ ତାମ୍ବୂଳ

ତପ୍ତତୋୟ ମାତ୍ର ସୁଖ ଦେଲା

ଜନେ ତୌର୍ଯ୍ୟତ୍ରିକେ ହେଲେ ଲୋଳ।୫୯।

 

ଅଯତ୍ନେ ଶୀତଳ ବନ            ସୁରତ ସ୍ୱେଦବିହୀନ

ହେଲା ରାଜଇନ୍ଦ୍ର ଭାଷେ

ସର୍ବଜନପ୍ରମୋଦପ୍ରଦ ଏ ଦିନ।୬୦।

 

ଦ୍ୱିତୀୟ ଛାନ୍ଦ

ଶିଶିରବର୍ଣ୍ଣନ

ରାଗ-ମଙ୍ଗଳ

 

ରାଗଚୂର୍ଣ୍ଣ ତିଳକରୁ ପ୍ରମୋଦକାରକ।୧।

 

ଲଳିତ କୁନ୍ଦ ସୁମନ ହସନଦ୍ୟୋତକ।

ଶୁକ ଶିଶୁ ସୁମଧୁର ଗିର ଉଚ୍ଚାରକ।୨।

 

ତୁଷାରବିଭୂତିଲେପ ଧବଳ ଶରୀର।

ତାରକମଣିମାଳାରେ ଦିଶେ ମନୋହର।୩।

 

ସଦା ପଞ୍ଚତତ୍ତ୍ୱ ଶୀତ କରଣରେ ମତି।

ଏ ଶିଶିର କାପାଳିକ ଭ୍ରମଇ ସମ୍ପ୍ରତି।୪।

 

ରଜନୀ ଜଳଯୋଗରୁ ମଳୀମସାମ୍ବର।

ସଦା ଶିତାଶୁଗ ପ୍ରୟୋଗରେ ଧୁରନ୍ଧର।୫।

 

ବନୋଦରବାସକାରୀ କମଳପ୍ରକର।

ବିନାଶି ଶିଶିର ହେଲା ଶବର ପ୍ରକାର।୬।

 

ଅନ୍ତଃସାରବିଲୁଣ୍ଠିତା ତୁଷାରଲୁଳିତା।

କଠୋରଶରୀରା ଘନରସବିର୍ଜିତା।୭।

 

ବିଗତବିଭବା ପୁଣି ହେଉ ଶ୍ରୀବିହୀନା।

ଜରତୀ ପରି ତ ଦିଶେ ଅବନୀ ଅଧୁନା।୮।

 

ଚନ୍ଦ୍ରକାନ୍ତତରା ଶୀତକରସୁଶୋଭିନୀ।

ସାରସାରସଶ୍ରୀଖଣ୍ଡି ନୀରସହାରିଣୀ।୯।

 

ସୂରକର ଅଭିଳାଷେ ମାନସତୋଷିଣୀ।

ନୀହାର ଋତୁ ହୋଇଲା ନିଶ୍ଚେ ବିରହିଣୀ।୧୦।

 

କୁଜ୍‌ଝଟିବନ୍ୟା ପ୍ରାବଲ୍ୟ ସକାଶୁ ତରଣି।

ସସଂଭ୍ରମେ ଅସ୍ତମିତ ହେବା କାଳ ଜାଣି।୧୧।

 

କରେ କର ବିନିବେଶି ଭବବୀତଚିତ୍ତେ।

ମଜ୍ଜିଲେ ଧୀବର ତାପସହିତରେ ଦ୍ରୁତେ।୧୨।

 

ହିମାଦ୍ରିଦରୀସମ୍ଭୂତ ଲୋକର ଅହିତ।

ବିଷଗର୍ଭିତ ସମୀର ପ୍ରସାରି ତ୍ୱରିତ।୧୩।

 

ବନାନ୍ତେ ବିହରି ଗ୍ରାସିଯାଏ ପ୍ରତି ଦିଗ।

ଭୋଗେ ଭୟଙ୍କର ଅଟେ ଏ ଶିଶିରୋରଗ।୧୪।

 

ତୁଷାରଧବଳକାନ୍ତି ବିଯୋଗରେ ପର।

ଧନଞ୍ଜୟଗଉରବ ବରଧନକର।୧୫।

 

ବିଶ୍ୱବ୍ୟାପୀ କମଳ ଉଲ୍ଲାସଦାନକର।

କାଳିକାସଂଯୋଗବଶୁଁ ଶଙ୍କର ଶିଶିର।୧୬।

 

ଫାଲ୍‌ଗୁନ୍‌ସହଚର ଗୋଗଣମୋଦକର।

ଦ୍ରୋଣାନନ୍ଦପ୍ରଦ କୃଷ୍ଣ ସମାନ ଶିଶିର।୧୭।

 

ମକରଜନମସ୍ଥାନ ବରୁଣପ୍ରଫୁଲ୍ଲ-

କର ହେବାରୁ ଶିଶିର ସରସ୍ୱାନ ତୁଲ।୧୮।

 

ସିତ ପ୍ରସାଦରୁ ସୂରପ୍ରଭା କରି ନାଶ।

ସ୍ୱର୍ଭାନୁ ସଦୃଶ କଲା ଆକାଶକୁ ଗ୍ରାସ।୧୯।

 

ମକର କେତନପ୍ରିୟ ନଗଶ୍ରୀବିଯୁକ୍ତ।

ରସାଳଂକୃତ ନୃହରିଶୋଭାବିବର୍ଦ୍ଧିତ।୨୦।

 

ତନୁଖର୍ବକାରୀ ରାମ ଲକ୍ଷ୍ମଣେ ଅପ୍ରେମ।

ମିତ୍ରସୁଖପ୍ରଦ ଫାଲ୍‌ଗୁନାନ୍ତ ସୁବିକ୍ରମ।୨୧।

 

ତପସେ ବିଖ୍ୟାତ ଶୀତତରବାରେ ଭୀମ।

ଶିଶିର ଶ୍ରୀହରି ଦଶଅବତାର ସମ।୨୨।

 

ବିଶ୍ୱାନନ୍ଦପ୍ରଦ ଚନ୍ଦ୍ର ପଦ୍ମିନୀକି କ୍ଷୟ।

କରନ୍ତେ ଭାଷିଲେ ଜନେ ତୁହୀନ ସମୟ।୨୩।

 

ହିମାନିଳ ରସିକର ସ୍ପରଶୁଁ ରଞ୍ଜିତା।

କୁନ୍ଦସୁନ୍ଦର ମନ୍ଦସୁହାସପ୍ରକାଶିତା।୨୪।

 

ଗଳିତମଧୁକ(୧) ମକରନ୍ଦସ୍ୱେଦପୂର୍ଣ୍ଣା।

ନିପତିତି ଦ୍ରାଷାମୁକ୍ତାଫଳସୁଶୋଭନା।୨୫।

 

(୧) ମଧୁକ-ମହୁଲ।

ପତ୍ରାଳିବିହୀନା ବନସ୍ଥଳୀ ବାମା ରଙ୍ଗେ।

ସୁରତାନ୍ତ ରାମାରମା ଜମା କଳା ଅଙ୍ଗେ।୨୬।

 

ଶିଶିର ସମ୍ପୂର୍ଣ୍ଣ ସ୍ଫୁଟ ସେବତୀ ପାଶରେ

ଭ୍ରମନ୍ତି ଲୋଭେ ଭ୍ରମରେ ସୁସ୍ୱରେ।୨୭।

 

ସିତ ପୀତ ବର୍ଣ୍ଣେ ଫୁଟୁ ଗୁଲାପନିକର।

ଶୀତ ବାତ ତା ସୁବାସ ନେଲା ଦିଗନ୍ତର।୨୮।

 

କ୍ଷମାଦେବୀ ସ୍ଫୁଟ ଶୋଣ ଗୁଲାପର ଛଳେ।

କ୍ଷମା ମାଗେ କି ଅଞ୍ଜଳି ପ୍ରସାରି ଶିଶିରେ।୨୯।

 

ତୁଷାର କାଳ ଉଷାରୁ ସେ ଛତ୍ର ଫୁଟାଇ।

ପୂଷାର ତାପ ରସାରୁ ଦେଲା କି ତୁଟାଇ।୩୦।

 

ସ୍ୱର୍ଣ୍ଣପ୍ରସୂ ଭାରତର ବୈଭବ ସାର୍ଥକ।

କରେ ପୀତପୁଷ୍ପେ ତିଳା ସର୍ଷପ(୧) ଚଣକ।୩୧।

ଗୋଧୂମସୁମଧୂଳିରେ ଧୂସରିତ ଧରା।

 

(୧) ସର୍ଷପ-ସୋରିଷ।

ସିମ(୨) ଫଳଭରା ଝରା ଧରି ଦିଶେ ତୋରା।୩୨।

ତୁଷାରଭସ୍ମବିଲିପ୍ତା ଜଟାଜୂଟଯୁତା।

 

(୨) ସିମ-ଝଟା।

ବିଜୟା(୩) ସଦୃଶ ହେଲା ବିଜୟା(୪) ଶୋଭିତା।୩୩।

 

ଛାୟାମଣ୍ଡପଲମ୍ବିତ ଧୂମ୍ରପତ୍ରବ୍ରାତ।

(୩) ବିଜୟା-ପାର୍ବତୀଙ୍କ ସଖୀ। (୪) ବିଜୟା-ଗଞ୍ଜାଇ।

ଦିଶେ ଶାଳଶାଖାଲଗ୍ନ ଯତୁକା(୫) ସମ୍ମିତ।୩୪।

ନୀଳାମ୍ବୁରାଶିସଦୃଶ ଦିଶୁ ଇକ୍ଷୁ ବନ।

 

(୫) ଯତୁକା-ବାଦଡ଼ୀ ପକ୍ଷୀ।

ଇକ୍ଷୁଧନ୍ୱା(୬) ହେଲେ ଜନେ କରି ତା ଗ୍ରହଣ।୩୫।

ଭାରତଗ୍ରନ୍ଥପୀୟୂଷ ମୟୁଖ ସମାନ।

 

(୬) ଇକ୍ଷୁଧନ୍ୱା-ମନ୍ମଥ।

ପ୍ରତିପର୍ବରସୋଦୟ ହେଉ ମଧୁତୃଣ(୭)।୩୬।

 

(୭) ମଧୁତୃଣ-ଇକ୍ଷୁ।

ହର୍ଷମନେ ରାଜକର ସମର୍ପିକରଣେ।

କର୍ଷକପ୍ରକର ବ୍ୟସ୍ତ ଶର୍କରାକରଣେ।୩୭।

 

ପଳିତ କୁଷ୍ମାଣ୍ଡ ନର କପାଳେ ସମ୍ପୂର୍ଣ୍ଣ।

ପ୍ରାନ୍ତର ଶ୍ମଶାନ ଦୃଶ୍ୟ କରଇ ମଳିନ।୩୮।

 

ବୋଇତିକଖାରୁ ଥାଇ ତାହାର ନିକଟେ।

ଅସ୍ଥିସଂଚୟନତ୍ୟକ୍ତ ଘଟଶୋଭା ଲୁଟେ।୩୯।

ସରସ ପ୍ରଣୟ ଗ୍ରନ୍ଥ ଶିକ୍ଷା ଦୀକ୍ଷା ଗୁରୁ।

ସୁରତାପରାଧୀ ଗର୍ବ ପର୍ବତକୁ ସ୍ୱରୁ(୧)।୪୦

 

(୧) ସ୍ୱରୁ-ବଜ୍ର।

ଯୁବତୀସେନା ସଜ୍ଜିତ କଲା ମନମଥ।

ଯୁବହୃଦଦୁର୍ଗଭେଦେ ଦେଇ ମନୋରଥ।୪୧।

ରଣପଣ୍ଡିତା କଞ୍ଚୁ କବତୀ(୨) ସେ ବାହିନୀ।

(୨) କଞ୍ଚୁକବତୀ-କଞ୍ଚୁକା, ସାଞ୍ଜୁ; ପରେ କଞ୍ଚୁଲା

ରଣରଣକ(୩) ତହିଁରେ ପ୍ରଧାନ ସେନାନୀ।୪୨।

ପରପକ୍ଷ କ୍ଷତେ ନ ହେବାକୁ କଲବଲ।

 

(୩) ରଣରଣକ-କାମ।

ପରମ ମୋଦେ ଖୁଆଇ ତାହାଙ୍କୁ ଅମଳ।୪୩।

ବଳାଇ ମାନସ ଯୁଦ୍ଧେ ରହି ସେନା ସାଥେ।

ଚଳାଇଲା କୁଜ୍‌ଝଟିକାଚ୍ଛନ୍ନ ନିଶାପଥେ।୪୪।

ପରସ୍ପରେ ଏକାନ୍ତରେ ହେଉ ମିଶାମିଶି।

ବରଷିଲେ ନେତ୍ରଶର ଚନ୍ଦ୍ରହାସ(୪) ରସି।୪୫।

 

(୪) ଚନ୍ଦ୍ରହାସ-ଖଡ଼।

କ୍ରମରେ ସମରରସ ହେଲେହେଁ ପ୍ରବଳ।

ଶ୍ରମ ନ ଗଣିଲେ ହୋଇ ଅନ୍ୟୋନ୍ୟ ବିହ୍ୱଳ।୪୬।

ପ୍ରଭାତେ ବିଶ୍ଲଥ ବାସ ଚିରାଳ ଉଡ଼ାଇ।

ପ୍ରଭାବେ କାମ ଆଣିଲା ସେନା ବାହୁଡ଼ାଇ।୪୭।

ଲୁଳିତ ହେଲେହେଁ ଅତି ବିଜୟଉଲ୍ଲାସେ।

ଲଳତ ତା ପୂର୍ବାପେକ୍ଷା ଦିଶିଲା ବିଶେଷେ।୪୮।

ରସରାଜ ଜୟୋତ୍ସବ କୀର୍ତ୍ତିରେ ଧବଳି।

ବିଷମସାୟକ କେଳି ଶ୍ରମ ଦେଲା ଦଳି।୪୯।

କାଶ୍ମୀରଦେଶ କେଶର ରସ ଅଙ୍ଗରାଗ।

ବାସିତ କୁସୁମାସବବଶୁଁ ମୁଖରାଗ।୫୦।

ମୃଦୁଳ ରକ୍ତ ସୁମନେ କବରୀ ଶୋଭନ।

ମୃଦିତ(୧) କର୍ପୂରଯୁତ ତାମ୍ବୂଳ ସେବନ।୫୧।

ଅନଙ୍ଗଅଙ୍ଗରାଗରୁ ଲୋହିତ ଲୋଚନ।

 

(୧) ମୃଦିତ-ଚୂର୍ଣ୍ଣିତ।

ଅଲକ୍ତବ ଦ୍ରବ ଯୋଗେ ନଖ ରକ୍ତବର୍ଣ୍ଣ।୫୨।

 

ଶାଣିତ ସାର ମାଣିକ୍ୟ ଭୂଷାରେ ମଣ୍ଡନ।

ଶୋଣିତଚୀନ କୌଷେୟ ବାସ ପରିଧାନ।୫୩।

 

କରି ବାରୁଣୀପ୍ରତିମା ପରି ରାଗମୟୀ।

ହୋଇ ଦର୍ଶନ ମାତ୍ରକେ ବିମୋହ ଜନ୍ମାଇଁ।୫୪

 

ଯୌବନମଦମଧୁରା ପ୍ରମଦାପ୍ରକର।

ସମବୟସ୍ୟାଙ୍କ ଅଂଶେ ଦେଇ କରଭର।୫୫।

 

ସଞ୍ଚାରିଣୀ ନବପଲ୍ଲବିତା ସୁବଞ୍ଜୁଳ।

ବ୍ରତତୀ ମଙ୍ଗଳମୟୀ ଦୀପଶିଖା ତୁଳ।୫୬।

 

ମଦମତ୍ତ ଇଭନିଭ ମନ୍ଥରଗତିରେ।

ମଧୁରେ ମଣ୍ଡିଲେ କେଳିପୁରକୁ ପ୍ରୀତିରେ।୫୭।

 

ଘନପୀନଚାରୁସ୍ତନା ପୃଥୁଳଜଘନା।

ତରଣୀ ତରୁଣୀ କରେ ପୁଂସକୁ ଅଧୁନା।୫୮।

 

ଶ୍ରୀପଞ୍ଚମୀ ପ୍ରତ୍ୟୂଷରେ ଶିକ୍ଷକନିକ୍ଷିପ୍ତ।

ଶ୍ରୀଫଳ ସମାଲୋଡ଼ନେ ଛାତ୍ରଛାତ୍ରୀବ୍ରାତ।୫୯।

 

ସରସେ ପ୍ରବେଶି ନୋହି ଶୀତଭୀତମତି।

ହରଷେ ଭ୍ରମିଲେ ଭଣି ସରସ୍ୱତୀସ୍ତୁତି।୬୦।

 

ତିଳସପ୍ତମୀରେ ଜନେ ତପନ ପୂଜନେ।

ମଜ୍ଜିଲେ ଚନ୍ଦ୍ରଭାଗାରେ ବଳୁଷବର୍ଜନେ।୬୧।

 

ମକରସଙ୍କମୁ କିବା ଶିବ ସ୍ମରି ମନେ।

ପତଙ୍ଗ ପୟାଣୋନ୍ମୁଖ ଉତ୍ତରଅୟନେ।୬୨।

 

ତରଣୀ ପରି ଆଶାରେ ବାରୁଣୀଯୋଗକୁ।

ତ୍ରିବେଣୀମଜ୍ଜନେ ଜନେ ଗଲେ ପ୍ରୟାଗକୁ।୬୩।

 

ଶିବରାତ୍ରୀ ଶିବପୁରୀ ବାରନାରୀ ପରି।

ଉରୋଜ ଶ୍ରୀଫଳ ପତ୍ରାବଳୀ ଶୋଭାକପୀ।୬୪।

 

ମୁକ୍ତାହାର ଜନଦତ୍ତ ନାନା ଭୋଗେ ଯୁତା।

ବିଭୂତିହାରିଣୀ ପୁଣି ଭୁଜଙ୍ଗପାଳିତା।୬୫।

 

ଚନ୍ଦ୍ରରସ ଅଭିଷେକବଶେ ଆର୍ଦ୍ରତରା।

କୃତଯୋଗ ମୁଦ୍ରାଧ୍ୟାନଯୋଗୁଁ ସଦା ଧୀରା।୬୬।

 

କାମୀ ଭବ ଚିରଗ୍ରନ୍ଥିବନ୍ଧ ମୋକ୍ଷ ଆଶେ।

ଉଜାଗର କରି ପଡ଼ିଥାନ୍ତି ଯାହା ପାଶେ।୬୭।

 

ନୀଳାଚଳେ ବଳାନୁଜ ଦୋଳାଲୀଳା ହେରି।

ବିଳାସିନୀ ସଙ୍ଗେ ଜନେ ଖେଳିଲେ ଚର୍ଚ୍ଚରୀ।୬୮।

 

ନବୀନ ବର୍ଷ ପ୍ରାରମ୍ଭ ହେଉ ମୋଦମନେ।

ଉତ୍କଣ୍ଠିତ ହେଲେ ଜନେ ପଞ୍ଜିକାଶ୍ରବଣେ।୬୯।

 

ହେମନ୍ତ ପରି ଆହାର ପାନ ବ୍ୟବହାର।

ଏ ଋତୁରେ ଆଚରିବା ଅଟେ ଶ୍ରେୟଷ୍କର।୭୦।

 

କୋକିଳ ମୂକତା ଦୀନ ପାନ୍ଥ ରୁଗ୍ଣ ଦୈନ୍ୟ।

ଲତା ଅବସାଦ ରବି ସୁଧାଂଶୁ ମାଳିନ୍ୟ।୭୧।

 

କୁଶେଶୟକ୍ଲେଶଚୟ ଦ୍ୱିରେଫଦୁର୍ଦ୍ଦଶା।

ଭାଷେ ରାଜଇନ୍ଦ୍ରଦେବ ତୁଟିବ ସହସା।୭୨।

 

୫,୬। ଶିଶିର ଶବର ପରି। (ଶବରପକ୍ଷେ) ରଜନୀଜଳ, ହରିଦ୍ରାଜଳ ବଶରୁ। ମଳୀମସାମ୍ବର, ମ୍ଲାନବସ୍ତ୍ର। ଶିତାଶୂଗ ପ୍ରୟୋଗ, ତୀକ୍ଷ୍ଣଶର ପ୍ରହାର ବନୋଦରବାସକାରୀ କମଳ, ବନାନ୍ତସଞ୍ଚାରୀ ମୃଗ। (ଋତୁପକ୍ଷେ) ରଜନୀଜଳ, ନୀହାରଯାଗରୁ ମ୍ଲାନ ଆକାଶ। ଶିତାଶୁଗ, ହିମବାୟୁ। ବନୋଦର ବାସକାରୀ କମଳ, ଜଳମଧ୍ୟସ୍ଥ ପଦ୍ମ।

 

୭,୮। ଘନରସବିବର୍ଜିତା, ଜରତୀପକ୍ଷେ ଶୃଙ୍ଗାରରସରହିତା ବିଭୁପକ୍ଷେ ମେଘଜଳବିବର୍ଜିତା।

୯,୧୦। ନୀହାର ଋତୁ ବିରହିଣୀ ପରି।

୧୧, ୧୨। ଧୀବର, ପ୍ରାଜ୍ଞ। ତାପସ, ମୁନିମାନେ। କୁଝଟିବନ୍ୟା ବଲ୍ୟରୁ ତରଣି ଯେ ସୂର୍ଯ୍ୟ ତାହାଙ୍କ ସସଂଭ୍ରମ ଅସ୍ତ ହେବା ଅର୍ଥାତ୍‌ ସନ୍ଧ୍ୟା ଜାଣି। ଭବବୀତଚିତ୍ତେ-ସଂସାରବାସନାଶୂନ୍ୟମନରେ। କରେ କର ନିବେଶି, ହସ୍ତରେ ହସ୍ତ ରଖି। ଦ୍ରୁତେ ମଜ୍ଜିଲେ, ଅର୍ଥାତ୍‌ ସନ୍ଧ୍ୟାବନ୍ଦନ ପରାୟଣ ହେଲେ। (ପକ୍ଷାନ୍ତରେ) ଧୀବର-କୈବର୍ତ୍ତ୍ୟମାନେ ବନ୍ୟାପ୍ରାବଲ୍ୟରୁ ନୌକା ପତନୋନ୍ମୁଖ ହେବା ବୁଝି ଭବବୀତଚିତ୍ତରେ ଭବ ବୋଇଲେ ଏତ ହୁଏ ଯେ ବୀତ ଚିତ୍ତେ ଯେ ନିସ୍ପୃହା ଅର୍ଥାତ୍ ଜୀବନାଶାଶୂନ୍ୟରୁ କରେ ମସ୍ତେକ, କର ନିବେଶି କର ତାଡ଼ନ କରି। ଦ୍ରୁତେ ତାପସହିତରେ ତପ୍ତ ମନରେ, ମଜ୍ଜନ୍ତି।

 

୧୩,୧୪। ଶିଶିର ଡରଗ ପରି। (ଶିଶିରପକ୍ଷେ) ପୂର୍ବପାଦ ସୁଲଭାର୍ଥ। ଷଗର୍ଭିତ ସମୀର-ଜଳମିଶ୍ରିତ ବାୟୁ। ପ୍ରସାରି-ବନାନ୍ତେ ବିହରି ପ୍ରତି ଗ ଗ୍ରାସ କରେ ଏବଂ ଭୋଗେ-ଚନ୍ଦନାଦି ବିଭୋଗରେ ଭୟଙ୍କର ଅଟେ। (ଉଗରପକ୍ଷେ) ଦରୀସମ୍ଭୂତ-ଲୋକଶତ୍ରୁ। ବିଷଗର୍ଭିତ-ଗରଲମିଶ୍ରିତ ବାୟୁ ସାରି। ବନାନ୍ତେ-ଜଳମଧ୍ୟରେ। ବିହରି-ବି-ପକ୍ଷୀ, ହରି-ଭେକ। ଆସି। ଭୋଗେ-ଫଣାରେ ଭୟଙ୍କର ହୋଇ ପ୍ରତିଦିଗ ଯାଏ।

 

୧୫, ୧୬। ଶିଶିର ଶଙ୍କରତୁଲ୍ୟ-(ଶିବପକ୍ଷେ) ତୁଷାରବତ୍ ଧବଳ କାନ୍ତି। ବିଯୋଗରେ ପର, ବିଶେଷ ଯୋଗନିଷ୍ଠ। ଧନଞ୍ଜୟଗଉରବ, ଅର୍ଜୁନଙ୍କ ଗୌରବବର୍ଦ୍ଧକ (ଅର୍ଥାତ୍‌) ଅର୍ଜୁନର ତପସ୍ୟା ଓ ପରାକ୍ରମପ୍ରମୁଗ୍ଧ ହୋଇ ପାଶୁତାସ୍ତ୍ର ଦେଇ ପ୍ରତିଷ୍ଠା ବର୍ଦ୍ଧନ କରିଥିଲେ। ବିଶ୍ୱବ୍ୟାପୀ କମଳଉଲ୍ଲାସନଦାନ କର-କମଳ ଯେ ମୃଗ ତାହାର ଉଲ୍ଲାସଦାନକର। କାଳିକାସଂଯୋଗ ଗୌରୀସଂଯୁକ୍ତ। (ଶିଶିରପକ୍ଷେ) ତୁଷାର ହେତୁ ଗୌରକାନ୍ତି। ବିଯୋଗ ବିଚ୍ଛେଦରେ ପରଶତ୍ରୁ। ଧନଞ୍ଜୟଗୌରବ ଅଗ୍ନିଗୌରବବର୍ଦ୍ଧନକାରୀ କମଳଉଲ୍ଲାସଦାନକର, କମଳ ପଦ୍ମର ଉଲ୍ଲାସକୁ ଦାନ କି ଖଣ୍ଡନକରନ୍ତି ଅଟେ। କାଳିକାସଂଯୋଗ କୁଜ୍‌ଝଟୀସଂଯୁକ୍ତ।

 

୧୭। ଶିଶିର କୃଷ୍ଣଙ୍କ ପରି। (ଋତୁପକ୍ଷେ) ଫାଲ୍‌ଗୁନ୍‌ସହଚର, ଫାଲ୍‌ଗୁନ୍‌ମାସର ସଙ୍ଗୀ। ଗୋଗଣମୋଦକର, ଇନ୍ଦ୍ରିୟମାନଙ୍କର ପ୍ରୀତିଉତ୍ପାଦକ ଅର୍ଥା ଏବଂ ନାନାଦି ଖାଦ୍ୟ ଓ ବିଳାସହେତୁ। ଦ୍ରୋଣାନନ୍ଦପ୍ରଦ-ଦ୍ରୋଣ ଯେ କାର ତାହାର ଆନନ୍ଦକ ଅର୍ଥାତ୍‌ଏ ଋତୁରେ କାକମାନଙ୍କର କାନ୍ତି ବଢ଼େ (କୃଷ୍ଣପକ୍ଷେ) ଫାଲ୍‌ଗୁନ୍‌ସହଚର ଅର୍ଜୁନଙ୍କ ସଖା। ଗୋଗଣ, ଗୌମାନଙ୍କର ଆନନ୍ଦନ। ଦ୍ରୋଣାନନ୍ଦପ୍ରଦ, ଦ୍ରୋଣ କୌରବ ଆଚାର୍ଯ୍ୟଙ୍କର ଆନନ୍ଦ ପ୍ରଦାୟକ।

 

୧୮। ଶିଶିର ସମୁଦ୍ର ପରି। (ଋତୁପକ୍ଷେ) ମକରଜନମସ୍ଥାନ ମକର ରାଶିର ଜନ୍ମସ୍ଥାନ। ବରୁଣପ୍ରଫୁଲ୍ଲକର ବରୁଣ ନାମକ ଫୁଲର ପ୍ରକାଶକ। (ସରସ୍ୱାନପକ୍ଷେ) ମକରଜନମସ୍ଥାନ ମକରନାମକ ଜଳଜନ୍ତୁର ଜନ୍ମ ହେତୁ। ବରୁଣପ୍ରଫୁଲ୍ଲକର ପ୍ରଚେତା ଆନନ୍ଦବର୍ଦ୍ଧକ।

 

୧୯। ପୁଣି ରାହୁପରି। ରାହୁ ଶିତପ୍ରସାଦରୁ ଶୁକ୍ରାଚାର୍ଯ୍ୟଙ୍କ ପ୍ରସାଦରୁ ସୂରପ୍ରଭା ସୂର୍ଯ୍ୟ ପ୍ରଭା ନାଶ କରି ଆକାଶ ଗ୍ରାସେ। ଶିଶିର ଶୀତ ପ୍ରସାଦରୁ ହିମପ୍ରଭାବରୁ ସୂର ପ୍ରଭା ନାଶ କରେ।

 

୨୦, ୨୧, ୨୨। ଶିଶିରକାଳ ଶ୍ରୀହରିଙ୍କର ଦଶାବତାର ପରି। କାଳ ମକରକେତନପ୍ରିୟ, ମନ୍ମଥର ପ୍ରୀତିକର। ମତ୍ସ-ମକରକେତନ ଯେ ସମୁଦ୍ରରେ ସେ ଏକା ପ୍ରିୟ କି ଇଷ୍ଟ। କାଳ-ନଗଶ୍ରୀବିଯୁକ୍ତ, ବୃକ୍ଷଶୋଭାବିରହିତ କୂର୍ମ-ନଗଶ୍ରୀ ଯେ ପର୍ବତଶୋଭାରେ ଯୁକ୍ତ। କାଳ-ରସରେ ଅଳଂକୃତ। ବରାହ-ରସାରେ ଅଳଂକୃତ। କାଳ-ନୃ ଯେ ମାନବ ତାହାଙ୍କର ଶୋଭା ହାରୀ। ନୃସିଂହ-ନୃ ହରି ସିଂହ ଶୋଭାବାନ୍‌। କାଳ-ତନୁଖର୍ବକାରୀ। ବାମନ-ତନୁଖର୍ବକାରୀ। କାଳ-ରାମଲକ୍ଷ୍ମଣେ ଚନ୍ଦ୍ରେ ଅପ୍ରୀତି। ପର୍ଶୁରାମ-ରାମ ଲକ୍ଷ୍ମଣେ ଅପ୍ରେମ। କାଳ-ମିତ୍ରସୁଖପ୍ରଦ, ସୂର୍ଯ୍ୟ ସୁଖଦ। ରାମ-ମିତ୍ର ସୁଗ୍ରୀବ ସୁଖଦ। କାଳ-ଫାଲ୍‌ଗୁନାନ୍ତ ସୁବିକ୍ରମ, ଫାଲ୍‌ଗୁନମାସାନ୍ତବିକ୍ରମ। ବଳରାମ-ଫାଲ୍‌ଗୁନ ଅର୍ଜୁନଦ୍ୱାରା ଅନ୍ତ ହେଲା ବିକ୍ରମ, ଅର୍ଥାତ୍‌ ସୁଭଦ୍ରା ହରଣବେଳେ। କାଳ-ତପସେ, ମାଘେ ବିଖ୍ୟାତ। ବୌଦ୍ଧ-ତପସ୍ୟାରେ ବିଖ୍ୟାତ। କାଳ-ଶୀତତରବାରେ, ଶୀତଳତର ଜଳରେ ଭୟଙ୍କର। କଳ୍ପି-ଶିତ, ନିଶିତ ତରବାରେ, ଖଡ଼୍‌ଗେ ଭୟଙ୍କର।

 

୬୪, ୬୫, ୬୬, ୬୭। ଶିବରାତ୍ରି ଶିବପୁରୀ ବାରସ୍ତ୍ରୀ ପରି। ପୁରୀ ଉରୋଜ-ପୁଷ୍ପହାର, ଶ୍ରୀଫଳପତ୍ରାବଳୀ-ବିଲ୍ୱପତ୍ରାବଳୀ ଶୋଭାକାରୀ। ବାରସ୍ତ୍ରୀ ଉରୋଜ ଶ୍ରୀଫଳରେ ଯେ ପତ୍ରାବଳୀ-ପତ୍ରାଳୀ ଶୋଭାକରୀ। ପୁରୀ ମୁକ୍ତାହାର ଜନ-ଉପବାସୀ ଜନଦତ୍ତ ଭୋଗଯୁତା। ବାରସ୍ତ୍ରୀ ମୁକ୍ତାହାର ଏବଂ ଜନଦତ୍ତ ନାନା ଭୋଗବିଳାସଯୁକ୍ତା। ପୁରୀ ବିଭୁତିହାରିଣୀ-ଭସ୍ମଶୋଭିନୀ। ବାରସ୍ତ୍ରୀ ବିଭୂତିହାରିଣୀ-ସମ୍ପଦନାଶିନୀ। ପୁରୀ ଭୁଜଙ୍ଗ ସର୍ପପାଳିତା। ବାରସ୍ତ୍ରୀ ଭୁଜଙ୍ଗ-ବିଟ୍‌ପୁରୁଷପାଳିତା। ପୁରୀ ଚନ୍ଦ୍ରରସ କର୍ପୂରଜଳ ଅଭିଷେକହେତୁ ଅର୍ଦ୍ରତରା। ବାରସ୍ତ୍ରୀ ଚନ୍ଦ୍ରରସ-ଚନ୍ଦ୍ର-ଚନ୍ଦ୍ରନ-ରସ, ଅଭି-ସର୍ବତୋଭାବେ, ଷେକସେଚନ ହେତୁ ଆର୍ଦ୍ରା। ପୁରୀ କୃତଯୋଗ ମୁଦ୍ରାଧ୍ୟାନ ଯୋଗୁଁ ସଦା ଧୀରାକୃତ ଅଟେ ଯେ ଯୋଗମୁଦ୍ରା, ପ୍ରାଣାୟାମମୁଦ୍ରା ଧ୍ୟାନ ବଶୁ ସଦା ଧୀରା ଶାନ୍ତିମୟୀ। ବାରସ୍ତ୍ରୀ କୃତ ଅଟେ ଯେ ଯୋଗମୁଦ୍ରା ଯେ ସଂଯୋଗ ଦ୍ରବ୍ୟ, ତାର ଧ୍ୟାନ ହେତୁ ସଦା ଅଧୀରା-ଚଞ୍ଚଳା। ପୁରୀ କାମୀ ଭବଚିର ଗ୍ରନ୍ଥିବନ୍ଧର-ଶ୍ରେୟଃକାମିଗଣ ଭବଚିରଗ୍ରନ୍ଥି ସଂସାର ଚିରଗ୍ରନ୍ଥି, ତହିଁରୁ ମୋକ୍ଷ ଆଶାରେ ଉଜାଗର କରିଥାନ୍ତି। ବାରସ୍ତ୍ରୀ କାମୁକମାନେ ଚିର ଯେ ବସ୍ତ୍ର ତାର ଯେ ଗ୍ରନ୍ଥିବନ୍ଧ-ନୀରିବନ୍ଧ, ତାର ମୋକ୍ଷ ଆଶାରେ ଉଜାଗର ହୋଇ ରହିଥାନ୍ତି।

 

ତୃତୀୟ ଛାନ୍ଦ

ବସନ୍ତବର୍ଣ୍ଣନ

ରାଗ- ବିଚିତ୍ର ଦେଶାକ୍ଷ

 

ଚାହାଁରେ ବନଜଲୋଚନା ମନୋଜକେଳିକଳାଲ୍ଲୋଳିନୀ।

ସର୍ବସୁଖମୟ ସୁରଭି ସମୟ ପ୍ରବିଷ୍ଟ ହେଲା ଏକ୍ଷଣି।

କାନନ ସୁମନଶ୍ରେଣୀ, ଶୋଭାସାରପ୍ରଦର୍ଶନୀ।୧।

 

କାଳିକା ସଦୃଶୀ ହେଲା ଏ ମଧୁଶ୍ରୀ କରବୀରପ୍ରକାଶିନୀ।

ଶ୍ରୀବାସୋଲ୍ଳାସିନୀ ଜଡ଼ତାନାଶିନୀ ମୀନମେଷସନ୍ତୋଷିଣୀ।

କେଶରୀଶୋଭାକାରିଣୀ, ସାରଙ୍ଗସୁଶ୍ରୀଧାରିଣୀ।୨।

 

୨ ପଦ - ମଧୁଶ୍ରୀ କାଳିକା ପରି। କାଳିକା କରବୀର-ଖଡ୍ଗପ୍ରକାଶିନୀ। ମଧୁଶ୍ରୀ କରବୀର ନାମକ ପୁଷ୍ପପ୍ରକାଶିନୀ। କାଳିକା ଶ୍ରୀବାସ - ଶିବଉଲ୍ଲାସିନୀ। ମଧୁଶ୍ରୀ ଶ୍ରୀବାସ-ପଦ୍ମପ୍ରକାଶିନୀ। କାଳିକା ଜଡ଼ତା-ମୂର୍ଖତ୍ୱଧ୍ୱଂସିନୀ। ମଧୁଶ୍ରୀ ଜଡ଼ତା-ଶୈତ୍ୟନାଶିନୀ କାଳିକା ମୀନମେଷସନ୍ତୋଷିଣୀ। (ସ୍ପଷ୍ଟାର୍ଥ) ମଧୁଶ୍ରୀ ସାରଙ୍ଗସୁଶ୍ରୀ-କୁସୁମଶୋଭା-ଧାରିଣୀ।

 

ସୁମନା ଉତ୍‌ଫୁଲ୍ଳକାରୀ ବେଣୁଦରକର ସୁରଭିଆହ୍ଲାଦ।

ମଧୁପର କାମଜନକ ସରାଗେ ନାଗେଶ୍ୱର ଉଲ୍ଳାସଦ।୩।

 

୩ ପଦ - ମାଧବ-ଚୈତ୍ର ମାଧବବତ୍‌କୃଷ୍ଣପରି। କୃଷ୍ଣ ସୁମନାସ୍ତ୍ରୀ ଉତ୍‌ଫୁଲ୍ଳକାରୀ। ମାଧବ ସୁମନା- ପୁଷ୍ପଉତ୍‌ଫୁଲ୍ଲକାରୀ। କୃଷ୍ଣ ବେଣୁ ଦର- ଶଙ୍କକର। ମାଧବ ବେଣୁ ବାଂଶ, ଦରକର - ଭୟପ୍ରଦ। କୃଷ୍ଣ ସୁରଭି- ଗାଭି, ଆହ୍ଲାଦ। ମାଧବ ସୁରଭି- ବକୁଳ ବେ ମଲ୍ଲି ଆହ୍ଲାଦ। କୃଷ୍ଣ ମଧୁପର ଓ କାମଜନକ। ମାଧବମଧୁପର- ଭୃଙ୍ଗର ଅଭିଳାଷଜନକ। କୃଷ୍ଣ ସରାଗେ- କ୍ରୋଧେ, ନାଗେଶ୍ୱର- କାଳୀୟର, ଉଲ୍ଲାସଦ-ଆନନ୍ଦ ଖଣ୍ଡନକାରୀ। ମାଧବ ନାଗେଶ୍ୱର ଉଲ୍ଲାସକୁ ପ୍ରଦାନ କରେ। କୃଷ୍ଣ ବନବାଳା - ସ୍ୱନାମପ୍ରସିଦ୍ଧ ଦ୍ୱାରା ଶୋଭାକରୀ। ମାଧବ ବନମାଳା-ଅରଣ୍ୟ- ଶ୍ରେଣୀଶୋଭାକରୀ।

 

ସାଧୁଚିତ୍ତନର ସ୍ୱଚ୍ଛତର ନଭ ବିବେକୀ ନୃପ ଗୌରବ।

ପରି ଦିବାକର ରଜନୀନାଥର କ୍ରମେ ବଢ଼ିଲା ପ୍ରଭାବ।

ଅନୁକୂଳା ସତୀ କୀର୍ତ୍ତି-ସଂକାଶ ତାରକାକାନ୍ତି।୪।

 

କୁଜ୍‌ଝଟିବିଲିପ୍ତ ବିଶ୍ୱଚିତ୍ରେ ଚିତ୍ତ ରଖି ମଧୁ ଚିତ୍ରକର।

ପର୍ଣ୍ଣପାତ୍ରୋଦରେ ମକରନ୍ଦ ନୀରେ ପରାଗ ରଙ୍ଗ ସତ୍ୱର।

ଦଳ ମଞ୍ଜୁଳ ମଞ୍ଜରୀ, ତୂଳିକା ସରାଗେ ଧରି।୫।

 

ରଜନୀବଲ୍ଳଭଜ୍ୟୋତତ୍ସ୍ନା।

ଖଡ଼ିଦ୍ରବ ଯୋଗେ ଆଦ୍ୟେ ଧବଳିତ।

କରି ଯଥାସ୍ଥାନେ ରଙ୍ଗ ପ୍ରଣିଧାନେ ଦେଉ ଚିତ୍ର ପ୍ରସ୍ଫୁଟିତ।

ସେହି ଜୀବନ୍ତ ମାଧୁରୀ, ଧରି ଚିତ୍ତ ନେଲା ହରି।୬।

 

ଅନନ୍ତ ସାଗରଚାରୀ ଶଶଧର ଶୁକ୍ତିଗର୍ଭନିସୃତ।

ହିମବିନ୍ଦୁ ମୋତିନିକରେ ସମ୍ପ୍ରତି ଚୈତ୍ରକ କି ଅଳଂକୃତ।

କଲା ନଶୀଥେ ଭୁବନ, ଅତିଥି ହେଉ ମଦନ।୭।

 

ଉପକାରୀ ଚୈତ୍ର ନିମନ୍ତ୍ରଣେ ମିତ୍ର ମାର ଆସନ୍ତେ ଭୁବନେ।

ଜ୍ୟୋତ୍ସା ସୁଧାରସ ଲିପିଲା କି ବିଶ୍ୱମଣ୍ଡଳେ ଚନ୍ଦ୍ର ସଘନେ।

ଅନ୍ୟୋନ୍ୟ ସାହାଯ୍ୟ ସିନା,

ସ୍ନେହେ ଶୋଭିଇ ଶୋଭନା।୮।

 

ମନ୍ମଥ ବସନ୍ତ ମଳୟ ଭୂଭୃତି ଅନନ୍ତ ଗୁଣ ସଂଯୋଗେ।

ଲୋକହିତାର୍ଥେ କି ପ୍ରକୃତି ଅବ୍ୱିକି ମନ୍ଥନ୍ତେ କ୍ରମେ ସରାଗେ।

ତହୁଁ ହୋଇଲା ସମ୍ଭୂତ, ଐରାବତ(୧) ପାରିଜାତ(୨)।୯।

 

(୧) ବନପକ୍ଷେ-ନାଗରଙ୍ଗ। (୨) ପାରିଜାତ -ମନ୍ଦାର।

ରମ୍ଭା(୩) ମଧୁ(୪) ବିଷ(୫) କ୍ରମଶଃ

ପ୍ରକାଶ ଧନ୍ୱନ୍ତରୀ (୬) ଆଦି ମୋଦେ।

(୩) ରମ୍ଭା- କଦଳୀ। (୪) ମଧୁ- ମକରନ୍ଦ।

(୫) ବିଷ- ମୃଣାଳ। (୬) ଧନ୍ୱନ୍ତରୀ- ସୁଗନ୍ଧ ବୃକ୍ଷବିଶେଷ।

ସୁବାସାଧାରିଣୀ ଜନ୍ମି କମଳିନୀ ଭଜିଲେ ମାଧବ ପଦେ।

ବିଷ ଗ୍ରାସ କରି ହିଂସା(୭)ହେଲେ ସନ୍ତୁଷ୍ଟମାନସ।୧୦।

 

(୭) ସମୁଦ୍ରମନ୍ଥନପକ୍ଷେ ହଂସ- ଶିବ।

ଭୁବନଉଚ୍ଚାଟ ନାଟକ ପ୍ରକଟ ହେଉ ବିଶ୍ୱ ରଙ୍ଗସ୍ଥଳ।

ଉଦିତ ଉଜ୍ଜ୍ୱଳ ତାରା ସୁଧାକର ପ୍ରଦୀପେ ହେଲା ମଞ୍ଜୁଳ।

ଭୃଙ୍ଗାରିକାର(୮) ଝଙ୍କାର ଶ୍ରୁତି ଶ୍ରୁତିପ୍ରୀତିକର।୧୧।

 

(୮) ଭୃଙ୍ଗାରିକା-ଝିଲ୍ଲୀ।

ହିମ ଯବନିକା ତୋଳି ତେଜି ତେଜି ଶଙ୍କା ଚୈତ୍ର ସୂତ୍ରଧାର ଆସି।

କୋକିଳ ପଞ୍ଚମ ଗାନ ବ୍ୟାଜେ କାମସ୍ତବ ନାନ୍ଦୀ ପରକାଶି।

ହୋଇ ବଲ୍ଲୀ ନଟୀ ସଙ୍ଗୀ, ଦେଲା ପୁଷ୍ପାଞ୍ଜଳି ଫିଙ୍ଗି।୧୨।

 

ଏଣେ ମଧୁ ବ୍ରତସ୍ୱରେ ଗାଇ ଗୀତ ସୁମନେ ପ୍ରସାରି ବାସ।

ପଲ୍ଲବପ୍ରପଦ କଳିକା ଅଙ୍ଗୁଳୀ ଚାଳି ଢାଳି ସ୍କନ୍ଧଦେଶ।

ନାଚୁଁ ଲତା ଲାସ୍ୟବଧୂ, ସକଳେ ବୋଇଲେ ସାଧୁ।୧୩।

 

ପ୍ରସ୍ତାବନା ଶେଷେ ରତି କାମ ହର୍ଷେ କୁସୁମତଳପେ ବସି।

କରୁ ଜଗଜ୍ଜୟ କାମେ ଅଭିନୟ ଅବ୍ୟକ୍ତ ଆଳାପେ ରସି।

ସଂଯୋଗିଏ କଲେ ସ୍ତୁତି, ବିଯୋଗୀ ହାରିଲେ ଧୃତି।୧୪।

 

ଉଦୀଚୀ(୧) ନାଗରୀ ପୂର୍ବ

ପ୍ରେମ ସ୍ମରି ଗମନ୍ତେ ତପନ ଜବେ।

ବିରହବିହ୍ୱଳା ଆବାଚୀ(୨) ମହିଳା ମନ୍ଦ ମରୁତ କୈତବେ।

ଶ୍ୱାସ ତେଜି ଅନୁକ୍ଷଣେ, ରୋଦେ କି ପିକନସ୍ଵନେ।୧୫।

 

(୧) ଉଦୀଚୀ-ଉତ୍ତର ଦିକ୍‌। (୨) ଅବାଚୀ-ଦକ୍ଷିଣା ଦିକ୍‌।

ଶାଣଚତ୍ରିସ୍ଥିତ ରତ୍ନତେଜବତ ବଢ଼ନ୍ତେ ସୂର୍ଯ୍ୟପ୍ରଭାବ।

ସ୍ୱପତି ଉନ୍ନତିବଶୁ ଦିବା ସତୀ ବୃଦ୍ଧି ହେଲା କ୍ରମେ ଭାବ।

ଦମ୍ପତି ବିଶୁଦ୍ଧ ସ୍ନେହ ନ ଦିଏ କି ସୁଖଚୟ।୧୬।

 

ବିନଷ୍ଟ ନଳୀନ ନବ ସଞ୍ଜୀବନ ମନ୍ତ୍ର ପ୍ରଦାନେ ମାନ୍ତ୍ରିକ।

ପ୍ରିୟବିଚ୍ଛେଦନୀ ପ୍ରାଣଉତ୍ସେଦିନୀ ତ୍ରିୟାରମ୍ଭେ କି ତାନ୍ତ୍ରିକ।

ଚାହାଁ ଏ ବସନ୍ତକାଳ, ବିଦେଶୀ ଜନର କାଳ।୧୭।

 

ମଳୟମାରୁତ ଅରିଷ୍ଟ(୩)

ସୁଗନ୍ଧ ପତ୍ତନ(୪) ଫଳ ଆପଣ(୫)

ମନ ମଥ ସିଦ୍ଧାଶ୍ରମ ଭୃଙ୍ଗ ପିକ ଦ୍ୱିଜ ପୁଣ୍ୟ ଆୟତନ (୬)।

ବିଳାସୀର ଆବେଶନ (୭) ଅଟେ ଏ ୠତୁରାଜନ।୧୮।

 

(୩) ଅରଷ୍ଟି- ସୂତିକାଗୃହ। (୪) ପତ୍ତନ-ପାଟଣା। (୫) ଆପଣ- ବଜାର। (୬) ଘୁଣ୍ୟଆୟତନ- ଯାଗଶାଳା। (୭) ଆବେଶନ- ଶିଳ୍ପଶାଳା।

ସତୀ ନାରୀ ସ୍ନେହ କୁଟୁମ୍ବୀର ମୋହ ମେଧାବୀ ଛାତ୍ର ବିବେକ।

ବିଧବା ସନ୍ତାପ କାମୀର ସଙ୍କଳ୍ପ କଳି କାଳର ପାତକ।

ପରି ଶୃଙ୍ଗାର ସମ୍ମାନ ବୃଦ୍ଧି ହେଲା ଦିନୁ ଦିନ।୧୯।

 

ଶରନ୍ନଦୀରୟ ପ୍ରାଣୀ ଆୟୁର୍ଦାୟ ବ୍ୟସନୀ ଜନ ମସ୍ତିଷ୍କ।

ଅସଂଯତ ମନ୍ତ୍ର ନୃପରାଜ୍ୟତନ୍ତ୍ର କୃଷ୍ଣପକ୍ଷ ଜୈବାତୃକ(୧)।

ସଦୃଶ ଶୀତ କ୍ରମଶଃ କ୍ଷୀଣ ହୋଇଲା ନାରୀଶ।୨୦।

 

(୧) ଜୈବାତୃକ-ଚନ୍ଦ୍ର।

ସୁରରାଟ ବିଧୁ ବାତ ଭୃଙ୍ଗ ମଧୁ ଆଦି ସଭ୍ୟ ସଙ୍ଗେ ଭାଳି।

ନାରୀ ଅପରାଧୀ ପୁରୁଷଙ୍କୁ ବିଧିମତେ ଦଣ୍ଡ ଦେବି ବୋଲି।

ପରଭୃତ ଡାକପତ୍ରେ ପ୍ରଚାର କଲା ଜଗତେ।୨୧।

 

ବସନ୍ତ ରସିକ ହୋଇ ସ୍ନେହୋତ୍ସୁକ କାମିନୀଙ୍କ କେଶପାଶେ।

ନିଆଳୀ ନାଗିଣୀ ମାଧବୀ

କାମିନୀ ଦୟଣାଗୁମ୍ପା କି ଖୋଷେ।

ସ୍ୱସଖାର ସେନା ବୋଲି, କାହା କର୍ଣ୍ଣେ ଖଞ୍ଜେ ମଲ୍ଲି।୨୨।

 

ଶ୍ୟାମଳାୟମାନ ଉନ୍ନତ ସଘନ ବୃକ୍ଷବାର ଘନ ସମ।

ମରୁତାନ୍ଦୋଳିତ ଦରବିକଶିତ ଚାରୁ କେତକୀ କୁସୁମ।

ଜିଣି ସୌଦାମିନୀ ଳୀଲା କରେ ତା ନିକଟେ ଖେଳା।୨୩।

 

ସ୍ଫୁଟିତ ବଞ୍ଜୁଳ ତମାଳ ମଞ୍ଜୁଳ ଚମ୍ପକ ନାଗକେଶର।

ଧରି ନାନା ବର୍ଣ୍ଣ ଶତ୍ରଶରାସନ ସଙ୍କାଶ କି ମନୋହର।

ଶୁଭେ ସ୍ତନିତ ସମାନ କୋକିଳର ତାନ ଗାନ।୨୪।

 

ଅବିରଳ ସୃତ ମରନ୍ଦ ଅମୃତ ଧାରା ଭ୍ରମରଝଙ୍କାର।

ମନ୍ଦ୍ରନାଦ ତୁଳ ସ୍ଫୁଟ ବିଚକିଳ କରକାପାତ ପ୍ରକାର।

ପ୍ରାବୃଷ୍ୟ(୨) ଶୋଭାରୁ ବଳି ଦିଶେ ମଧୁ ବନସ୍ଥଳୀ।୨୫।

 

(୨) ପ୍ରାବୃଷ୍ୟ -ବର୍ଷାକଳୀନ।

ଦୂରଦେଶାଗତ କାନ୍ତକରପାତ ମାତ୍ରେ ଯଥା ପ୍ରଣୟିନୀ।

କାନ୍ତା ଅପଘନ ରୋମାଞ୍ଚେ ସମ୍ପୂର୍ଣ୍ଣ ହୁଏ ତଥା ଲତାଶ୍ରେଣୀ।

ମଧୁ ମରୁତ ସ୍ପର୍ଶରେ ସୁଶୋଭିତ ନବାଙ୍କୁରେ।୨୬।

 

ପଦାଘାତ ପ୍ରତିଶୋଧେ ରଖି ମତି ଅଶୋକପଲ୍ଲବ ତୂଣ।

ସାଜିଲାନି ଶରେ ସମର୍ପିବ ସ୍ମରେ ମାର ବୋଲି ନାରୀଜନ।

ସ୍ତବକପୁଙ୍ଖ ଦର୍ଶାଇ, ସେମାନଙ୍କୁ କି ତର୍ଜଇ।୨୭।

 

ବାସନ୍ତ(୧) ବାସନ୍ତୀ(୨) ବାସ

ନେବା ରୀତି ଚାହିଁ କେତକୀସୁମନା।

ଦୁର୍ଭେଦ୍ୟ ପକ୍ରାନ୍ତେ ଲୁଚିଲା ଗୁପତେ କୁଳସ୍ତ୍ରୀ ପରି ଅଧୁନା।

ଅତ୍ୟାଚାରୀଠାରେ ପ୍ରୀତି ଆଚରେ କି କେବେ ସତୀ।୨୮।

 

(୧) ବାସନ୍ତ-ବସନ୍ତୠତୁସମ୍ବନ୍ଧୀୟ।

(୨) ବାସନ୍ତୀ-ନବମଲ୍ଲି ବା ମାଧବଲତା।

ପ୍ରସ୍ଫୁଟିତ ସ୍ୱଚ୍ଛ ବିଚକିଳ (୩) ଗୁଚ୍ଛ ରଜତପାତ୍ରେ ଦର୍ପକ।

ଅଳି ଶାଳଗ୍ରାମ ସ୍ଥାପି କି ପ୍ରକାମ ମଧୁ କ୍ଷୀର ଅଭିଷେକ।

କରି ପିକ ଡାକ ଛଳେ, ଅଭିଚାରମନ୍ତ୍ର ବୋଲେ।୨୯।

 

(୩) ବିଚକିଳ-ମଲ୍ଲୀ।

ଶିଶିର ବିଧର୍ମୀ ଭୟେ ବିଯୋଗିନୀ ପଦ୍ମିନୀ ଥିଲା ଗୁପତେ।

ପ୍ରସନ୍ନ ସ୍ୱପତି ସୁପ୍ରକାଶ ଖ୍ୟାତି ଶୁଣି ବାହାରିଲା ଦ୍ରୂତେ।

ନିର୍ଦ୍ଦୋଷ ପ୍ରେମର ଗତି ଅବାରିତ ଗଜଗତି।୩୦।

 

ମୃଦୁଳ ପରାର କରି ଅଙ୍ଗରାଗ ହୋଇ ସୁବାସଶୋଭନା।

କେଶରକାନନେ ଶୟନ(୪) ସୁମନେ

ସାଜି ସୁମନେ ଅଧୁନା।

ଦରସ୍ଫୁଟ (୫) ଗନ୍ଧଫଳୀ- ପ୍ରଦୀପାଳିକି ଜାଳି।୩୧।

 

(୪) ଶୟନ-ଶର୍ଯ୍ୟା (୫) ଗନ୍ଧଫଳୀ-ଚମ୍ପା।

ରୁଚିର କନକଯୂଥିକା ସ୍ତବକ ପାତ୍ରେ ଭାଙ୍ଗି ଭୃଙ୍ଗ ପାନ।

ସୁଗନ୍ଧସମ୍ପୂର୍ଣ୍ଣ ସେବତୀ ଭାଜନ ଗର୍ଭେ ଶୀକର ଚନ୍ଦନ।

କର୍ଣ୍ଣିକାର ସରକରେ (୧) ମଧୁ ଭରି ମୋଦଭରେ।୩୨।

 

(୧) ସରକ-ମଦ୍ୟମାନ ପାତ୍ର।

ଘେନି ସହଚରୀ ସସ୍ନେହେ ସୁନାରୀ ବାସକସଜ୍ଜାପ୍ରକାରେ।

ଜଗିଛି ବସନ୍ତ ସଙ୍ଗେ ନିଧୁବନ ରଙ୍ଗେ ମଜ୍ଜିବ ଅଚିରେ।

ସୂର୍ଯ୍ୟମୁଖୀ ସୁବ୍ୟଜନ ଚାଳିବ ଚାହାଁ ମୋ ଧନ।୩୩।

 

ଇନ୍ଦିନ୍ଦିର (୨) ଯୁକ୍ତ ସଦ୍ୟବିକଶିତ ଇନ୍ଦୀବର ସୁମ ଛଳେ।

ପ୍ରକୃତି ଛଇଲୀ ମୃଗମଦ ଦଳି ରଖିଛ କି ପ୍ରେମଭୋଳେ।

ନୀଳମଣି ପେଟି ଗର୍ଭେ, ମଦନକେଳି ସନ୍ଦର୍ଭେ।୩୪।

 

(୨) ଇନ୍ଦିନ୍ଦିର-ଭୃଙ୍ଗ।

ତୋ କୁନ୍ତଳେ ତୁଚ୍ଛ ହେଉ ଜିଜ ପୁଚ୍ଛ ତେଜନ୍ତେ ବରହିବ୍ରାତ।

ତା ଚନ୍ଦ୍ରକଜାଳ ଲାଗି ଘନେ ଶାଳ ଶିଖେ ଦିଶେ ସୁଶୋଭିତ।

ନୁହେ ଏ ତମାଳ ଫୁଲ, ଭ୍ରମେ ଭ୍ରମନ୍ତି ଭ୍ରଷଳ (୩)। ୩୫।

 

(୩) ଭ୍ରଷଳ-ଭୃଙ୍ଗ।

ମନ୍ଦାର ଅଶୋକ ରଙ୍ଗିଣୀ କଂଶୁକ କରବୀର ତରୁବାର।

ଦୀପାବଳୀ ଦର୍ଶରାତ୍ରି (୪) ଶୋଭା ହ୍ରାସ କଲେ ହୋଇ ପୁଷ୍ପଭର।

ଚକ୍ରବର୍ତ୍ତିନୀ (୫) ଆମୋଦ ବିତରି ନେଲା ସେ ପଦ।୩୬।

 

(୪) ଦର୍ଶରାତ୍ରି-ଅମାବାସ୍ୟା ରାତ୍ରି।

(୫) ଚକ୍ରବର୍ତ୍ତିନୀ-ଜଟାମାଂସୀ

ଦୃଷତ (୬) ନିଶିତ ସ୍ମରଶରବ୍ରାତ ସ୍ଥିତ ତୂଣୀର ଶିଳୀନ୍ଧ୍ର।

କୋରକପୂରିତ ବଲ୍କୀକର ବତ ନିଆଳୀ ସୁଜାତି କୁନ୍ଦ।

ଦିଶିଲେ କଳିକାବଶେ, ଅନା ନବୀନା ରଭସେ।୩୭।

 

(୬) ଦୃଶତ-ଶିଳା।

ମଧୁସଖ(୧) ହୋଇ ମଧୁକଣ୍ଠ(୨)

ସହି ମଧୁ ଦୂତ(୩) ସ୍ତବକରେ

ମଧୁ ଚାଖି ମୋଦେ ମଧୁର ନିନଦେ

ମଧୁଦୀପ (୪) ସ୍ତବ କରେ।

ଉପକାରୀ ଗୁଣଶ୍ରେଣୀ ନ ଗାଇବ କେଉଁ ପ୍ରାଣୀ।୩୮।

 

(୧) ମଧୁସଖ-ମଧୁସୁହୃତ୍‌। (୨) ମଧୁକଣ୍ଠ-କୋକିଳ। (୩) ମଧୁଦୂତ ସ୍ତବକ - ଆମ୍ରପୁଷ୍ପଗୁଚ୍ଛ। (୪) ମଧୁଦୀପ-କାମଦେବା।

ଦରବିଦଳିତ କୁସୁମର୍ନିଗତ ପରାଗରେ ପିଞ୍ଜରିତ (୫)।

ହେବାରୁ ଅବ୍ୟକ୍ତ କୂଜିତ ବ୍ୟତୀତ ନୋହିଲା ସେ ଦୃଷ୍ଟିଗତ।

କୁଳୀନ ଜନ ସ୍ୱକୃତ, କାର୍ଯ୍ୟରେ ହୁଏ ବିଖ୍ୟାତ।୩୯।

 

(୫) ପିଞ୍ଜରିତ-ସ୍ୱର୍ଣ୍ଣାର।

ବସନ୍ତ କାସାର ଅନନ୍ତ ପ୍ରକାର ମୀନ କର୍କଟାଦି ରାଶି।

ଚକ୍ରେ ଶୋଭମାନ ବିଚିତ୍ର ବିମାନ

ଲୀଳାବଶେ ଖେଦ ନାଶି।

ଅବ୍ଲ ହଂସଙ୍କ ଆସ୍ପଦ ହୋଇ ଜନ୍ମାଇଲା ମୋଦ।୪୦।

 

୪୦। ଶ୍ଲେଷାର୍ଥ। ବସନ୍ତକାସାର - ସରୋବର। ଅନନ୍ତ ପରି-ଆକାଶବତ୍‌। ଆକାଶ ମୀନ କର୍କଟାଦି ରାଶିଚକ୍ରେ, ସମୂହେ ଶୋଭମାନ। କାସାର ମୀନ - ମତ୍ସ, କର୍କଟ-କଙ୍କଡ଼ା, ଚକ୍ରେ -ଚକ୍ରବାକରେ ଶୋଭମାନ। ଆକାଶ ବିଚିତ୍ର ବିମାନଳୀଳା ବିଦ୍ୟମାନ। କାସାର ବିଚିତ୍ରବର୍ଣ୍ଣ ବି-ପକ୍ଷିମାନଙ୍କ ଲୀଳାରେ ଖେଦ ନାଶେ। ଆକାଶ ଅବ୍ଜ-ଚନ୍ଦ୍ର, ହଂସ - ସୂର୍ଯ୍ୟ, ଆସ୍ପଦ। କାସାର ଅବ୍ଜ-ପଦ୍ମ, ହଂସ ବଶେ ଶୋଭମାନ।

 

ହରିଦ୍ରା ଲେପନ ବଶୁ ଅପଘନ କାନ୍ତି କରି ଦ୍ୱିଗୁଣିତ।

ନବକର୍ଣ୍ଣିକାର ହେମପୁଷ୍ପିକାର(୬) ମାଳେ ହୋଇ ବିଭୂଷିତ।

ହରିତ ସେବତୀ ସଙ୍ଗେ କୁରୁଣ୍ଟାକ(୭) ଗୁମ୍ପା ରଙ୍ଗେ। ୪୧।

 

(୬) ହେମପୁଷ୍ପିକା-ଚମ୍ପା। (୭) କୁରୁଣ୍ଟାକ-ଦାସକେରଣ୍ଟା।

କେତକୀଭର୍ତ୍ତିତ ଯତନେ ନିର୍ମିତ ବିଚିତ୍ର ଝରାକୁ ଖୋଷି।

ବରପୁଷ୍ପରାଗ ରତନସଂଯୋଗ ଭୂଷାମଣ୍ଡନରେ ରସି।

କରି ମୃଦୁ ଗୋରଚନା-ରସେ ତିଳକ ରଚନା।୪୨।

 

ହେମ ଜରି ତାର କାମ ମନୋହର

ପୀତଚୋଳ ଅନ୍ତରୀୟ (୧)।

ଜିତ ଊର୍ଣ୍ଣନାର ସୂତ୍ର ସୁବର୍ଣ୍ଣାର

କ୍ଷୌମ (୨) ରମ୍ୟ ଉତ୍ତରୀୟ(୩)।

ସାଜି ତୈଲାଙ୍ଗ୍ୟ ସୁବେଶେ ରମଣ ସଙ୍ଗେ ହରଷେ।୪୩।

 

(୧) ଅନ୍ତରୀୟ-ପରିଧାନ ବସ୍ତ୍ର। (ପ୍ର) ନାଭୌଧୃତଞ୍ଚ ଯଦ୍‌ବସ୍ତ୍ରମାଚ୍ଛା ଦୟତି ଜାନୁନୀ। ଅନ୍ତରୀୟଂ ପ୍ରଶସ୍ତଂ ତଦଚ୍ଛିନ୍ନମୁଭୟାନ୍ତୟୋଃ। (୨) କ୍ଷୌମ-ଅତସୀ ବଳ୍କଳଜାତ ବସ୍ତ୍ର। (୩) ଭାରତୀୟ-ଉପୁରାଣ ଅର୍ଥାତ୍‌ଊର୍ଦ୍ଧ୍ୱଦେହ-ଧାର୍ଯ୍ୟ ବସ୍ତ୍ର।

ସ୍ୱର୍ଣ୍ଣାଦିସମ୍ଭୂତ ସୁମଭରାନତ ଚାରୁ ଚମ୍ପକଲତିକା।

କୌତୁକୀ ଦର୍ପକ କରକ୍ରୀଡ଼ନକ କାର୍ତ୍ତସ୍ୱର (୪) ପାଞ୍ଚାଳିକା

କିବା ତା ଜୟମଙ୍ଗଳ, ଭରମ ପତାକାମାଳ।୪୪।

 

(୪) କାର୍ତ୍ତସ୍ୱର-ସୁବର୍ଣ୍ଣ।

କି ଅଚିରପ୍ରଭା ଚିରସ୍ଥାୟୀ ହେବା କାମନାରେ ତନୁ ଧରି।

ସୁରଭି ଦର୍ଶନେ ଆସିଛି ଭୁବନେ ବାସନ୍ତିକ ଲକ୍ଷ୍ମୀ ପରି।

ରସିକା ଯୁବତୀମାନେ ରସିଳେ ବନଭ୍ରମଣେ।୪୫।

 

କେ ଶୋଭନା ବାଳା ମଲ୍ଲିଫୁଲମାଳା

ଚନ୍ଦେନ ହୋଇ ଭୂଷିତ।

ମୃଦିତ କର୍ପୂର ମୃଦୁଳ ତାମ୍ବୂଳ ସେବନ କରି ତ୍ୱରିତ।

କୁସୁମମାର୍ଗଣାକୁଳା ହୋଇ କଲା ଦୋଳା ଖେଳା।୪୬।

 

କେ ପୁଁ ସ ଭ୍ରମର ଜଡ଼ିତପ୍ରକର(୫)

ଦେଖାଉ କାନ୍ତକୁ ମୋଦେ।

ସେ ଲୀଳାକମଳ ସଙ୍ଗେ

ନେତ୍ରୋତ୍ପଳ ମାରି ଛଟକେ ପ୍ରସାଦେ।

ବିଧିନିଯୋଗ ପ୍ରଶଂସି, ନତମୁଖେ ଦେଲା ହସି।୪୭।

 

(୫) ପ୍ରକର-ପୁଷ୍ପସ୍ତବକ।

ଦୁର୍ଜୟ ମଦନ ପ୍ରମଦ ଯୌବନ ସୀଧୁ ପାନ ଉନ୍ମେଦରେ।

ଫୁଲତୋଳା ରସେ ରସି ପରିହାସେ

କେ ଲତାନ୍ତେ କାନ୍ତ ଉରେ।

ଆଉଜିଲା ସପ୍ରଣୟେ ଭ୍ରମଣଶ୍ରମାଭିନୟେ।୪୮।

 

କେ କେଳିପ୍ରବୀଣା ପତି ସଙ୍ଗେ

ବୀଣା ବଜାଉଥିଲା ନିକୁଞ୍ଜେ।

ପିକ ଡାକ ଶୁଣି ଚମକି ସେକ୍ଷଣି

ଗାଢ଼ ପରିଷ୍ୱଙ୍ଗେ (୨) ମଜ୍ଜେ।

ନାଗରୀମାନେ ସୀକୃତି କେତେ ପ୍ରକାରେ ଜଣାନ୍ତି।୪୯।

 

(୨) ପରିଷ୍ୱଙ୍ଗ-ଆଲିଙ୍ଗନ।

ସର୍ବାଙ୍ଗ ସୁମନେ ମଣ୍ଡି କେ ସୁମନେ ନିଧୁବନ ପଣ(୩) କରି।

ଚାରୁଚନ୍ଦ୍ରଶାଳେ ନ୍ୟାୟବଳ ଖେଳେ କାନ୍ତ ଚିତ୍ତ ନେଲା ହରି।

ମଧ୍ୟ ମଧ୍ୟେ ମଧୁପାନେ ଭଙ୍ଗି ବିଳାସ ରଚନେ।୫୦।

 

(୩)ପଣ-ହୋଡ଼। (୪) ପ୍ରଣୀତ-ନିର୍ମିତ, ବିରଚିତ।

କେ ମତ୍ତକାଶିନୀ ହୋଇ ବିଚ୍ଛେଦିନୀ

ଭବନେ ବସି ଏକାନ୍ତେ।

ସ୍ୱପତିପ୍ରଣୀତ ବିରହସଙ୍ଗୀତ ଗାଇଲା ଦୁଃଖିତ ସ୍ୱାନ୍ତେ।

ପୂର୍ବ ପ୍ରେମ ସୁଖସ୍ମୃତି ହରିବ କି କାମକ୍ଲାନ୍ତି।୫୧।

 

ଏ ସୁରଭି ୠତୁ ବିରହଙ୍କ ଶତ୍ରୁ ଭାବି କେଉଁ ପ୍ରେମଶୀଳା।

ନାଥଙ୍କ ସୌଭାଗ୍ୟ ହେଉ ବୋଲି

ଗୋଗ୍ୟ ବିପ୍ରଙ୍କୁ ବରଣ ଦେଲା।

ପାଳି ମଙ୍ଗଳାଙ୍କ ବ୍ରତ, ସ୍ନେହେ କ୍ଷୀଣ କଲା ଗାତ୍ର।୫୨।

 

କେଉଁ ବିରହିଣୀ କାନ୍ତଗୁଣଶ୍ରେଣୀ ସହଚରୀ ସଙ୍ଗେ ଭାଷେ।

କେ ଡାକି ଗଣକ ବୁଝଇ ନାୟକ ଆସିବା ଦିନ ରହସ୍ୟେ।

କେ ଶିବଙ୍କୁ ତୋଷେ ଭୋଗେ,

ପତି ଆସିବାକୁ ବେଗେ।୫୩।

 

କେ ରସିକୋତ୍ତମ ପୀତାଗୁରୁଧୂମବାସିତ ବାସମନ୍ଦିର।

ଚନ୍ଦ୍ରାଂଶୁଶୀକରପିଚ୍ଛଳ କେଶରସୌରଭଗର୍ଭିତ ଧୀର।

ସମୀର ସଞ୍ଚାରଶୀଳ ଗବାକ୍ଷ ତଟେ ସତ୍ୱର।୫୪।

 

ଦନ୍ତାବଳଦନ୍ତପଲ୍ୟଙ୍କେ ସୁଶ୍ୱେତ ହଂସୁଳି ତୂଳି ଶେଯାଇ।

ସେବତୀକେଶରଦଳେ ଘନସାର ମିଶାଇ ମୋଦେ ବିଞ୍ଚାଇ।

ବସି ସ୍ୱକାନ୍ତା ସଙ୍ଗତେ ବିନୋଦ ମଜ୍ଜି ସଙ୍ଗୀତେ।୫୫।

 

ସୁବାସ ପୁରାଣ ଅରିଷ୍ଟ (୧) ସେବନ କରି କରାଇ ହରଷେ

ବିଷମବିଶିଖ ବିଶିଖକୁ ଲକ୍ଷ୍ୟ କଲା ନାହିଁ ଆଉ ଲେଶେ।

ଧନ୍ୟ ରାମାଙ୍କ ମହିମା, ହରନ୍ତି ସ୍ମରଗାରିମା।୫୬।

 

(୧) ପୁରାଣ ଅରିଷ୍ଟ- ପୁରାତନ ମଦ୍ୟ।

ରାମଜନ୍ମୋତ୍ସବେ ପ୍ରେମବଇଭବେ ଚୈତ୍ର ନବମୀବାସରେ।

ଧୀର ପୂଜ୍ୟତମ ବୀର ରଘୁତ୍ତମ ଧିଆଇ ଉପବାସରେ।

ରହିଲେ କେତେ ସଂଯମୀ, ବିଷୟପଥେ ନ ଭ୍ରମି।୫୭।

 

ଅକ୍ଷୟା ତିଥିରେ ଲକ୍ଷ ଅତିଥିରେ ଅକ୍ଷୟ ଧର୍ମ ଅର୍ଜନେ।

ଲକ୍ଷ୍ୟ ରଖି ମନେ ଭକ୍ଷ

ଦେଇ ଜନେ ସେକ୍ଷଣେ କ୍ଲାନ୍ତିବର୍ଜନେ।

ବକ୍ଷ ବୋଳାଇ ଚନ୍ଦନେ, ଅକ୍ଷ(୨)

ତୋଷିଲେ ବ୍ୟଜନେ।୫୮।

 

(୨) ଅକ୍ଷ- ଇନ୍ଦ୍ରିୟମାନେ।

କଦନଦହନ ମଦନମୋହନ ଚନ୍ଦନଯାତ୍ରାରେ ବସି।

ନରେନ୍ଦ୍ରାଡମ୍ବରେ ନରେନ୍ଦ୍ରଶମ୍ବରେ(୩)

ବରେଣ୍ୟ ଚାପରେ ବସି।

ମନ୍ଦ ମନ୍ଦରେ ବିହରି, ଜନମନ ନେଲେ ହରି।୫୯।

 

(୩) ନରେନ୍ଦ୍ରଶମ୍ବର-ନରେନ୍ଦ୍ର ପୁଷ୍କରିଣୀ ଜଳ।

ସଲବଣ ତନ୍ତ୍ର ଘନ ହିଁସୋଦକ (୧)

ଉଷ୍ଣ ଗୋକ୍ଷୀର ସେବନ।

ଶ୍ରେୟ ସୁବାସିତ ପୁରାଣ ଶୋଧିତ ଦ୍ରାକ୍ଷାସବ ଧୂମ୍ରପାନ।

ଗଜବାଜି ଆରୋହଣ, ବ୍ୟାୟାମ ବନଭ୍ରମଣ।୬୦।

 

(୧) ହଂସୋଦକ -ଆୟୁର୍ବେଦୋକ୍ତ ବିଶୁଦ୍ଧ ପାନୀୟ ଜଳ। (ହଂସୋଦକପ୍ରମାଣ) ନାଦେୟଂ ନବ ମୃଦ୍ଘଟେଷୁ ନିହିତଂ ସନ୍ତପ୍ତମର୍କାଂଶୁଭିଃ ଯାମିନ୍ୟାଞ୍ଚନିବିଷ୍ଠମିନ୍ଦୁ କିରଣୈମନ୍ଦାନିଳାନ୍ଦୋଳିତଂ। ଏଳାଦୌ ପରିବାସିତଂ ଶ୍ରମହରଂ ପୀତୋଷ୍ଣଦାହେ ବିଷେ ମୂର୍ଚ୍ଛାରକ୍ତମଦାତ୍ୟୟେଷୁ ଚ ହିତଂ ଶଂସନ୍ତି ହଂସୋଦକଂ। ରାଜନିଘଣ୍ଟୁ।

ମୁଧୁରାକ୍ତ ବନଚର କ୍ଷୁଦ୍ର ମୀନ ତିତ୍ତିର (୨) ଲାଭ (୩)ମୟୁର।

ଗୃହକଳବିଙ୍କ (୪) ହରିଣ ଶଶକ ଅଜପୋତ କୃଷ୍ଣସାର।

ଜ୍ୟୋତ୍ସିକା (୫) ଲାଜା ଗୋଧୂମ,

ପଟୋଳ ମୁଦ୍ଗ ଉତ୍ତମ।୬୧।

 

(୨) ତିତ୍ତିର-ପକ୍ଷବିଶେଷ। (୩) ଲାଭ- ଲାଉଆଗୁଣ୍ଡୁରି। (୪) କଳଚିଙ୍ଗ -ଚଟକ। (୫) ଜ୍ୟୋତ୍ସିକା-ବହ୍ନି।

ନାଡ଼ିକା(୬) କୋଳକ(୭) ଶିଙ୍ଗଡ଼ା

ଆଳୁକ ଖେଚଡ଼ି ମାହିଷକ୍ଷୀର।

ମେଷ କୁକ୍କୁଟ ବର୍ଜିତ, ଦିବାନିତ୍ରା ଅନୁଚିତ।୬୨।

 

(୬)ନାଡିକା-ଏକରମ ପିଷ୍ଟକ (୭) କୋଳକ- ଆକରୋଟ।

ପ୍ରସରୁ ବାସନ୍ତ(୮) ଗ୍ରୀଷ୍ମ ବର୍ଷା

ଶୀତ ବାଧାରୁ ହୋଇ ବଞ୍ଚିତ।

ଏକାଳେ ସ୍ଥାବର ଜଙ୍ଗମପ୍ରକର ସର୍ବାଶେ ହେଲେ ଶୋଭିତ।

ଭାଷେ ରାଜେନ୍ଦ୍ର ଯଥାର୍ଥ, ଋତୁରାଜ ପଦ ସ୍ୱାର୍ଥ।୬୩।

 

(୮) ବାସନ୍ତ - ବସନ୍ତସମ୍ବନ୍ଧୀୟ।

 

ଚତୁର୍ଥ ଛାନ୍ଦ

ଗ୍ରୀଷ୍ମବର୍ଣ୍ଣନ

ରାଗ-ବଙ୍ଗଳାଶ୍ରୀ

 

ବୈବସ୍ୱତ (୧) ସମ ଏ ଉଷ୍ଣୋପଗମ (୨) ଜୀବନହାରକ ହଉ।

ସର୍ବଜୀବକୁଳ ହେଲେ ତାପାକୁଳ ନ ଲଭି ନିଷ୍କୃତି ତହୁଁ।୧।

 

(୧) ବୈବସ୍ୱତ-ଯମ। (୨) ଉଷ୍ଣୋପଗମ-ଗ୍ରୀଷ୍ମକାଳ।

 

ପ୍ରାଣପ୍ରିୟା କ୍ଲେଶ ବଶରୁ ଜୀବେଶ ରହେ କରି କ୍ଷୋଭ ଯଥା।

କ୍ଷପା କ୍ଷୀଣଦଶା ବିଲୋକି ସହସା ସୁଧାଂଶୁ ନିଷ୍ପ୍ରଭ ତଥା।୨।

 

ଧୂଳି ମଳୀମସ ହେଉ ବିହାୟସ ମ୍ଲାନ ହେଲା ତାରା କାନ୍ତି।

କ୍ରୋଧୀ ନୃପ ତୁଲ ପୀଡ଼ିଲା ମିହିର ପ୍ରଖର କିରଣ ତାତି।୩।

 

ନିର୍ଦ୍ଦୟ କୃପଣ ଲୋଭୀ ଉତ୍ତମର୍ଣ୍ଣ(୩) ବଦନମଣ୍ଡଳବତ।

ଉଦୟକାଳୀନ ପ୍ରଚଣ୍ଡ ଅରୁଣବିମ୍ବ ଦେଖି ଜନେ ତ୍ରସ୍ତ।୪।

 

(୩) ଉତ୍ତମର୍ଣ୍ଣ- ୠଣଦାତା।

 

ଶୈତ୍ୟବିନାଶନ ବ୍ରତେ ଦେଇ ମନ ଆଚରେ କି ଘୋର ତପ।

ଦୀପ୍ତ ଅଶୁମାଳୀ ଜ୍ୱଳନକୁ ଜାଳି କାଷ୍ଠାବଳିଯୋଗେ ତପ(୪)।୫।

 

(୪) ତପ-ଗ୍ରୀଷ୍ମ।

 

ନିଜ ଉଷ୍ଣକର ବ୍ୟାଜେ ଉଷ୍ଣକର କରନ୍ତେ ଅଗ୍ନି ବରଷା।

ଗାଢ଼ ଜ୍ୱରାକ୍ରାନ୍ତ ତନ୍ୱୀ ତନୁବତ ସନ୍ତାପିତ ହେଲା ରସା।୬।

 

ତୁଷାଗ୍ନିନିକ୍ଷିପ୍ତ ପରି ଅତି ତପ୍ତ ସୈକତେ ପ୍ରଚ୍ଛନ୍ନ ମାର୍ଗ।

ହେଲେ ସୁଦ୍ଧା ପାନ୍ଥେ ଶ୍ରମେ ଗଲେ ଦ୍ରୂତେ ପ୍ରିୟାରେ କରି ସରାଗ।୭।

 

ବିରହୀ ନିଶ୍ୱାସୁଁ ବଳି ପ୍ରତି ଦିଶୁଁ ସମୟେ ଝାଞ୍ଜି ପବନ।

ବହି ଦିବାରାତ୍ର ଶୁଷ୍କ କଲା ଗାତ୍ର ଆତ୍ର ହେଲେ ସର୍ବ ଜନ।୮।

 

ମନ୍ଦଗୁଣ ଦୂର ହେଲେ ପ୍ରାଣିଙ୍କର ସଦ୍‌ବୃତ୍ତ ହୁଏ ଉଦିତ।

କି ଆଶ୍ଚର୍ଯ୍ୟ ଚତ୍ରବାତ୍ୟା ବହି ଲୋକନେତ୍ର କରଇ ଦୁଃଖିତ।୯।

 

ଶତ୍ରୁକୁ ଆଶ୍ରୟ ଦେବାରୁ ମଳୟଭବ(୧) ପ୍ରତି ଅତିଶୟ।

ରୋଷେ ସମୀରଣ ଛୁଇଁବା ତକ୍ଷଣ ଶୁଖାଇ ଦିଏ ନିଶ୍ଚୟ।୧୦।

 

(୧) ମଳୟପବନ - ଚନ୍ଦନ।

 

ଯେଉ ସ୍ଥାନେ ସମଭାବେ ଶୀତ ଉଷ୍ମ ରହେ ସେଠାରେ ସ୍ଥକିତ।

ହେବାରୁ ସମୀର ମାନବନିକର ବିଶେଷେ ହେଲେ ତାପିତ।୧୧।

 

ମହୀଧରାନ୍ତରେ ଜଳୁ ମାଳାକାରେ ପ୍ରଦୀପ୍ତ ଦବ ଦହନ।

ଭୂଦେବୀ କୁଚରେ ଦିଶେ କି ମଧୁରେ ମାଣିକ୍ୟହାର ଶୋଭନ।୧୨।

 

ଅତି ଉଚ୍ଚ ଶାଳ ଶିଖରେ ଅନଳଶିଖା ଦିଶେ ଦିଶେ ଦିଶେ।

ଜିଣି ତିନିପୁର ବାନ୍ଧିଥିବା ସ୍ମର ଶୋଣିତପତାକା କି ସେ।୧୩।

 

ଲଗାଇଛି ଚିତା ମଦନ କି କାନ୍ତା ଅପରାଧୀ ଦହିବାରେ।

କି ସେ ହେତି(୨) ଛଳେ ବନଦେବୀ ଲୋଳେ ତୃଷାରୁ ଜିହ୍ୱା ପ୍ରସାରେ।୧୪।

 

(୨) ହେତି-ଶିଖା।

ଧୂମଜାଳ ଜାଲେ ଶିଖାଶରେ ମାରେ ଜନ୍ତୁଙ୍କୁ ଦେଇ ଆୟାସ।

ମୃଗୟୁ (୩) ସମାନେ ଦବାନଳ ବନେ ଆଶ୍ରୟାଶେ (୪) କି ବିଶ୍ୱାସ।୧୫।

 

(୩) ମୃଗୟୁ-ଶିକାରୀ (୪) ଆଶ୍ରୟାଶ-ବହ୍ନି।

ଚିରରୁଗ୍ଣ ପତି ଚିନ୍ତାକ୍ରାନ୍ତ ସତୀ ନାରୀନିଭ ଅପ୍ରସନ୍ନ।

ଭାବକୁ ଧାରଣ କରି ଦିନୁଁଦିନ କ୍ଷୀଣ ହେଲେ ନଦୀଗଣ।୧୬।

 

ହେଉ ରସେ ଶୂନ୍ୟ ସ୍ଥବିର ସମାନ ଦିଶେ ପଲ୍ଵଳପ୍ରକର।

ନିଦାଘରୁ ଦ୍ରୁତେ ଫାଟିଗଲା କେତେ ସରୋବର ହୃଦନ୍ତର।୧୭।

 

ତୃଷାକୁଳ ପ୍ରାଣୀ ସହ ଦିନମଣି କରଜାଳ ପିଏ ଜଳ।

ବିଶାର(୧) ସହିତ ସଲିଳର ଶୈତ୍ୟ ଯାଏ ଜବେ ସରତଳ।୧୮।

 

(୧) ବିଶାର-ଶକୁଳ ମାଛ।

ପ୍ରଚଣ୍ଡ ଚଣ୍ଡାଂଶୁ କରପାତ ବଶୁଁ ତପ୍ତ ହେଉ ହ୍ରଦୋଦର।

ସେ ତାପ ନ ସହି ମୃତ ପ୍ରାୟ ହୋଇ ଭାସିଲେ ଝସପ୍ରକର।୧୯।

 

ଅସତୀ ଯୁବତୀ ଭ୍ରମପଦ ପ୍ରୀତି ପରି ଖେଳୁ ମୃଗତୃଷ୍ଣା।

ନିଦାଘ ୠତୁରେ ତା ଦେଖି ଆତୁରେ ବିବର୍ଦ୍ଧିତ ମୃଗତୃଷ୍ଣା।୨୦।

 

ହେଉ ତାହା ଚାହିଁ ଜଳଭ୍ରମେ ପାଇ ତାପ ମୃଗୀଏ କାତରେ।

ପ୍ରକଟ ରସନା (୨) ବଶୁ ବାରାଙ୍ଗନା ପରି ଭ୍ରମିଲେ ପ୍ରାନ୍ତରେ।୨୧।

 

(୨) ରସନା-ଜିହ୍ୱା; ପକ୍ଷେ କ୍ଷୁଦ୍ର, ଘଣ୍ଟି।

ବିଗତସମ୍ପଦ ଜନ ନୀଚପଦ ଆଶ୍ରୟ କଲା ପ୍ରକାର।

ପତ୍ରହୀନ ତରୁ ତଳେ ଶ୍ରମଭରୁ ଶୋଇଲେ କମଳବାର।୨୨।

 

ମୃଣାଳ ଅଙ୍କୁର ବିଚାର ଶୂକର କରେ ଦଂଷ୍ଟାଗ୍ର ଲେହନ।

ଇହାମୃଗକୁଳ ଶୁଷ୍କ ଭ୍ରମୋଦର (୩) ବିଦାରି କଲେ ଶୟନ।୨୩।

 

(୩) ଭ୍ରମୋଦର-ଜଳନିର୍ଗମ ସ୍ଥାନ।

ନିଜ ଛାୟା ଚାହିଁ ମହିଷ ଲୁଠଇ ଶାଦ (୪) ଭାବି ହାଲିଆରେ।

ନିଶାମୁଖେ ଲୋଳେ ଶଶକେ ଡେଇଁଲେ ବଣତଡ଼ ପଡ଼ିଆରେ।୨୪।

 

(୪) ଶାଦ-କଦର୍ମ।

ତପର୍ତ୍ତୁ ତାପାର୍ତ୍ତିଯୁତ ମତ୍ତଦନ୍ତୀ ବିଚରି ନ ଲଭି ବାର (୧)।

ସ୍ୱକର ଶୀକରନିକରେ ଶରୀର ଆର୍ଦ୍ର କରି ବାରମ୍ବାର।୨୫।

 

(୧) ବାର-ଜଳ।

ସନ୍ତପ୍ତ କେଶରୀ ଲାଙ୍ଗୁଳକୁ ଧରି ଝିଙ୍କନ୍ତେ ବିଷ ବିଚାରି।

ଚାହିଁ ସେ ସଧୀରେ ଶୁଏ ତା ଛାୟାରେ ନିଷ୍ପ୍ରଭେ ନିଶ୍ୱାସ ମାରି।୨୬।

 

ଗାଢ଼ ତାପାକୁଳ ଦୁର୍ବଳ ଶାର୍ଦ୍ଦୂଳ କ୍ରୋଡ଼େ ତୃଷିତ ଶୃଗାଳ।

ପ୍ରବେଶିଲେ ହେଲେ ସେ ତାକୁ ନ ମାରେ କି ନ କରି ପାରେ କାଳ।୨୭।

 

ଭାବି ଦନ୍ଦଶୂକ (୨)ସୁସୁପ୍ତ ଚିତ୍ରକ (୩) ପୃଚ୍ଛକୁ ଦଂଶେ ନକୁଳ।

ପାଶେ ଥିବା ଉଇ ହୁଙ୍କା ଖୋଳି ଖାଇ ନ ପାରିଲେ ଭାଲୁକୁଳ।୨୮।

 

(୨) ଦନ୍ଦଶୂକ-ସର୍ପ। (୩) ଚିତ୍ରକ-ଚିଟର୍‌ବାଘ।

କଳାପୀ କଳାପ ବିସ୍ତାରି ପାଦପ ତଳରେ ନେଲେ ଆଶ୍ରୟ।

ତା ଛାୟାରେ ରହି ଫଣାକୁ ଲୁଚାଇ ଜିହ୍ୱା ଚାଳେ ଛିଦ୍ରେଶୟ (୪)।୨୯।

 

(୪) ଚିଦ୍ରେଶୟ - ସର୍ପ।

ମଧ୍ୟାହ୍ନ ଜୃମ୍ଭଣ ହେଉ ଜନ୍ତୁଗଣ ଜ୍ଞାନ ହାରି ପରସ୍ପରେ।

ବାଧା ନ ଦେବାରୁ ଶିଦ୍ଧାଶ୍ରମ ଚାରୁ ଦୃଶ୍ୟକୁ ଅରଣ୍ୟ ହରେ।୩୦।

 

ରହିଲେ ମରାଳ ତୀର ପଦ୍ମଦଳ ତଳେ ତପ୍ତ ତୋୟ ତେଜି।

କପୋତନିକରେ ବିଟଙ୍କ (୫) ଉଦରେ ଶୋଇଲେ ଶୀତଳ ହେଜି।୩୧।

 

(୫) ବିଟଙ୍କ-ପାରାର ଭାଡ଼ି।

ଭ୍ରମରପ୍ରକର ଭେଦି କର୍ଣ୍ଣିକାରକଳୀ ତା ଗର୍ଭେ ମଜ୍ଜିଲେ।

ବେଶ୍ମବାସୀ କୀର ହୋଇ ତୃଷାତୁର ରଭସେ ଜଳ ଖୋଜିଲେ।୩୨।

 

ତୃଷାରୁ କୁରରୀ(୬) ପୃଷନ୍ତି ବିଚାରି ଚୁମ୍ବଇ ମଲ୍ଲୀଫୁଲକୁ।

କରଟେ (୭) ସଂଭ୍ରମେ ରକ୍ତବିନ୍ଦୁ ଭ୍ରମେ ଖୁମ୍ପିଲେ ଗୁଞ୍ଜାଫଳକୁ।୩୩।

 

(୬) କୁରରୀ -ଉତ୍‌କ୍ରୋଶପକ୍ଷିଣୀ। (୭) କରଟ-କାକ।

ନୀଡ଼ମୁଖାଗତ ତପୋତ୍ତାପତପ୍ତ ଶକୁନ୍ତ ପୋତ କୈତବେ।

ଦିଶେ ପାଦପର ଫାଟୁ ହୃଦନ୍ତର କାଳ ଖଣ୍ଡ ଖଣ୍ଡ ଜବେ।୩୪।

 

ତୃଷାବଶୁ କାନ୍ତଦତ୍ତ ନବପତ୍ର ଚାହିଁ ଶାରିକା ନ ଧରେ।

ସରାଗେ ସ୍ୱପକ୍ଷ ଧୀରେ ଚାଳି ପିକ ସ୍ୱପ୍ରିୟାର କ୍ଲାନ୍ତି ହରେ।୩୫।

 

ନରେଶ ସଂସଦେ ସୁଗାୟକ ମୋଦେ ଗାନ କଲା ପରକାର।

ନିସ୍ତବ୍ଧ ବନରେ କେବଳ ପ୍ରସରେ ଭୃଙ୍ଗାରିକାର ଝଙ୍କାର ।୩୬।

 

ଯେମନ୍ତ ଭୋଜନେ ନଷ୍ଟ ବିପ୍ରଜନେ ଘେରନ୍ତି ପରସୁଣକି।

ତେମନ୍ତ ଦିବାରେ ମକ୍ଷିକାନିକରେ ବେଢ଼ିଲେ ସୁପ୍ତ ପ୍ରାଣିଙ୍କି।୩୭।

 

ଓକିଲଙ୍କ ଗୁଣ ଧରି ମଶାଗଣ ଦଂଶିଲେ ଜନଙ୍କୁ ଯାହା।

ଉନ୍ନତଦଶନା ବୃଦ୍ଧବାରାଙ୍ଗନା ଚମ୍ବ ପରି ଲାଗେ ତାହା।୩୮।

 

ପଲ୍ଲବବିହୀନେ ମହୀରୁହମାନେ ଦିଗମ୍ବରଙ୍କ ସଦୃଶ।

କେବଳ ଶାଳ୍ମଳୀ ନବଦଳ ଧରି ହରେ ଶୁଚିଶିଖା (୧) ଦୃଶ୍ୟ।୩୯।

 

(୧) ଶୁଚଶିଖା-ଅଗ୍ନିଶିଖା।

ଲଙ୍କାଆମ୍ବ ତାଳ ପନସ ଶ୍ରୀଫଳ (୨) ପରିପକ୍ୱ ହେଉ ଦ୍ରୁତ।

କେତେ ପଶୁ ପକ୍ଷୀ ତା ସୁରସ ଭକ୍ଷି ହୋଇଲେ କ୍ଷଣିକ ତୃପ୍ତ।୪୦।

 

(୨) ଶ୍ରୀଫଳ- ବେଲ।

କଳ୍ପତରୁବତ ଫଳଦାନେ ଚୂତ ତୋଷନ୍ତେ ଆଶ୍ରିତ ପ୍ରାଣୀ।

ଗୃହ ତେଜି ଜନେ ରହିଲେ ସେ ସ୍ଥାନେ ତପନ ତାପ ନ ଜାଣି।୪୧।

 

ହାରିଦ୍ର ସିନ୍ଦୂର ବର୍ଣ୍ଣେ ରସଭର ହୋଇ ଛିଡନ୍ତେ ତା ଜାଣି।

ଖୋଜନ୍ତି ତରସେ ବାଳକେ ହରଷେ କଣ୍ଟାଲଟାକୁ ନ ମାନି।୪୨।

 

ଅପରାହ୍ନେ କେତେ ନରେ ହୁଷ୍ଟଚିତ୍ତେ ଯାଇ ତୋଟାକୁ ବହୁତ।

ବାଟୁଳୀପ୍ରୟୋଗେ ବିବାଦେ ସରାଗେ ଝଡ଼ାଇଲେ ପକ୍ୱ ଚୂତ।୪୩।

 

ଲେମ୍ବୁ ଲିଚୁ ବ୍ରାତ ଖଜୁରୀ ଅମୃତମଣ୍ଡା ଚିତ୍ରଚିହ୍ନ (୧) ପାଳୀ।

କର୍କଟୀ କଦଳୀ ତିର୍ଭୁଜ ଲାଙ୍ଗଳୀ(୨) ଫଳ ହେଲେ ରସଶାଳୀ।୪୪।

 

(୧) ଚିତ୍ରଚିହ୍ନ- ଚଲଣା। (୨) ଲାଙ୍ଗଳୀ- ନଡ଼ିଆ।

ଚିତ୍ରଣୀ ଯୋଷିତ ଶରୀରମ୍ମିତ ବାସେ ଫୁଟି ସିନ୍ଧୁବାର (୩)।

ଶିରିଷ ପାଟଳି ସ୍ଫୁଟ ଗିରିମଲ୍ଲୀ ସୁମ ବାସିତ କାନ୍ତାର।୪୫।

 

(୩) ସିନ୍ଧୁବାର - ନିଗୁଣ୍ଡି।

ଶୀତ ସ୍ୱଚ୍ଛତର ପଦ୍ମପୂର୍ଣ୍ଣ ସରସ୍ୱଲିଳେ ଅବଗାହନ।

ଘନସାରଚୂର୍ଣ୍ଣ ମିଶ୍ରିତ ଚନ୍ଦନ କରି ଅଙ୍ଗେ ବିଲେପନ।୪୬।

 

ସୁଧାଧବଳିତ ଚତ୍ୱରରେ ଶୀତମୟୁଖ କରେ ଶୟନ (୪)।

ଗିରିମଲ୍ଲିଦଳେ ସାଜି କୁତୂହଳେ କଲେହେଁ ନରେ ଶୟନ।୪୭।

 

(୪) ଶୟନ - ଶଯ୍ୟା।

ପ୍ରୌଢ଼ାରତିକ୍ଳାନ୍ତ ମାନବସମ୍ମିତ ସ୍ୱେଦେ ଆର୍ଦ୍ର ଅପଘନ।

ହେବାରୁ ବିରକ୍ତ ହୋଇଲେ ନିରତ ଚାଳିଲେ ସୁଦ୍ଧା ବ୍ୟଜନ।୪୮।

 

ଆଦର ଭୋଜନେ ଊଣା କରି ଜନେ ବାଞ୍ଛିଲେ ସର୍ବଦା ବନ।

ଯେସନେ ରସିକ ଶ୍ରବଣେ ଉତ୍ସୁକ ନବୀନା ମୃଦୁ ବଚନ।୪୯।

 

ସ୍ୱଚ୍ଛାୟାକୁ ଶାଳ ନ ତେଜିବା ତୁଳ ନବୋଢ଼ାକୁ ନ ବରଜି।

ରଜନୀ ଚତୁର୍ଥ ପ୍ରହରେ ସୁରତ ରସେ ପୁଂସେ ଗଲେ ମଜ୍ଜି।୫୦।

 

ପାପ ତପ ତାପ ବଶରୁ ସନ୍ତାପ ପାଇ ସ୍ତ୍ରୀଲୋକେ ବିବଶେ।

ସ୍ପଟିକନିର୍ମିତ ପୁରୁ ବହିଗର୍ତ ନୋହିଲେ ଆଉ ଦିବସେ।୫୧।

 

ମୃଦୁଳ ମୃଣାଳ ଶୀଭୁଜେ ପଟୀର ରସ ଲିପ୍ତ ଅପଘନେ।

ଘନସାରହାସେ ପୀୟୂଷ ସୁଭାଷେ ତୋଷିଲେ ଯୁବତୀଜନେ।୫୨।

 

ଶୀତଳ ଉଦକ ସ୍ନାନରୁ ତିଳକ ପତ୍ରାବଳୀ ହେଉଁ ଧ୍ୱଂସ।

ସୁରତାନ୍ତ ରାମା ରମା ଅଙ୍ଗେ ଜମା କଲେ କି ସେ ବାମାବଂଶ।୫୩।

 

ମୁହୁର୍ମୁହୁ ମୁଖ ପ୍ରକ୍ଷାଳନୁ ଅକ୍ଷଦ୍ୱୟ ହେଉ ଧୌତାଞ୍ଜନ।

କଲେ ଏକକାଳେ ମହିଳା ସକଳେ ମାନିନୀ ଶୋଭା ଧାରଣ।୫୪।

 

ମୃଦିତ କର୍ପୂର କରମ୍ବିତ(୧) ସାର ନାଗବଲ୍ଲୀ ପୁନଃପୁନ।

ସେବନୁ ଅତ୍ୟନ୍ତ ଅଧର ଅରକ୍ତ ବିମ୍ବ ପ୍ରଭା କରି ନ୍ୟୂନ।୫୫।

 

(୧) କରମ୍ବିତ-ମଶ୍ରିତ।

ପନୀର ଅତରଯୁତ ଗନ୍ଧସାର ରସ ସଦା ବିଲେପନୁ।

ଦିଶେ ବିରହିଣୀ ସୁଷମାକୁ ଜିଣି ବିଜିତକେତକୀତନୁ।୫୬।

 

ମୃଦୁଳ ମୃଣାଳ ନବ ରମ୍ଭାଦଳ ରଖି ଶେଯେ ତାର ପରେ।

ପ୍ରସାରି ବାସକୁ ପଦ୍ମପାଖୁଡାକୁ ସଜ୍ଜାଇ ତହିଁ ସତ୍ୱରେ।୫୭।

 

ମଧ୍ୟାହ୍ନଜୃମ୍ଭିତ ହେଉ ଅତି କ୍ଲାନ୍ତ ହୋଇ ବରାରୋହାବାର।

ଶୋଇଲେ ନିଶ୍ଚଳେ ଯଥା ଜବେଲୁଳେ ଝାଞ୍ଜିବଜା ଫୁଲହାର।୫୮।

 

ସୁବାସିତ ବନସିକ୍ତ ଉପଧାନ(୨) ରହୁ ସଦା ଶିର ତଳେ।

ଆର୍ଦ୍ର ହେବା ହେରି ଫିଟାନ୍ତେ କବରୀ ପ୍ରସୂନ ବାସ ପ୍ରସରେ।୫୯।

 

(୨) ଉପଧାନ-ମୁଚୁଳା।

ସ୍ୱେଦପ୍ରଦ ତପୁ ହେଲା ସର୍ବ ବପୁ ଲଗ୍ନାମ୍ବର ନାରୀଙ୍କର।

କାଚବାଡ଼ ପଛେ ରଖିଛି କି ସ୍ୱଚ୍ଛେ ସ୍ୱର୍ଣ୍ଣ ପାଞ୍ଚାଳିକା ସ୍ମର।୬୦।

 

ନିଶାମୁଖେ କେତେ ନାରୀ ନିଜ ଗାତ୍ରେ ନିଶା(୧) ବିଲେପନ କଲେ।

ନିଦାଘବଣିକ କି ପୁଟହାଟକ ପ୍ରତିମା ଧୋଇବ ଜଳେ।୬୧।

 

(୧) ନିଶା-ହଳଦି।

ମଧ୍ୟାହ୍ନଉତିତ୍ପତାପ ସ୍ୱେଦକାନ୍ତି ଅପନୋଦନେ ସରସେ।

କେତେ ବାମା ରଙ୍ଗେ ବୟସ୍ୟାଙ୍କ ସଙ୍ଗେ ପ୍ରବେଶ ହେଲେ ସରସେ।୬୨।

 

କେ ଉତ୍ତମା କାନ୍ତ ମୁଖ ଭାବି ଶତପତ୍ର ତୋଳି ଚୁମ୍ବୁ ଧୀରେ।

ତହୁଁ ମୁଧୁକର ଉଡ଼ି ତା ଅଧର ଖଣ୍ଡୁ ଚମକେ ଅଧୀରେ।୬୩।

 

କେ ମଧ୍ୟ ପ୍ରମାଣେ ଯାଇ ପାଣି ବନେ ପ୍ରହାରୁ ଶୀକରବାର।

ପଡ଼ି ସ୍ତନେ ତାର ଦିଶେ ତାର ତାରହାର(୨) ଛିଡ଼ିଲା ପ୍ରକାର।୬୪।

 

(୨) ତାରହାର - ମୁକ୍ତାହାର।

କେ ବାମା ସଲୀଳେ ବକ୍ଷୋଜ ସଲିଳେ ରଖୁଁ ନୀଳ ଜଳରାଶି।

କାଞ୍ଚନ ଭୂଧର ତଟେ ଜଳଧର ସଦୃଶ ଗଲା ଆଭାସି।୬୫।

 

ମୁଖେ ଧରି ନୀର କେ ରାମା ଫୁତ୍କାର କରି ଶତ୍ରୁଧନୁ ପରି।

ଦିଶି ମୁଖ ଶଶଧର ପରିବେଶ(୩) ସୁଷମାକୁ ନେଲା ହରି।୬୬।

 

(୩) ପରିବେଶ - ପରୀଧି।

ଉତ୍ତାନପ୍ଲବନେ କେ ବାମା ଭୁବନେ କଉତୁକେ ଗଲା ମଙ୍ଗି।

ରସପାରାବାର ହେବା ଲାଗି ପାର କି ସେ କାମ ହେମଡଙ୍ଗି।୬୭।

 

ହଂସବଧକାମ କି ମୃଗୟୁ କାମ ପିଷ୍ଟକ ଦ୍ରବେ ଧବଳି।

ଗଭୀର ସଲିଳେ ଉବୁଡ଼ାଇ ଲୋଳେ ଭସାଉଛି କୁମ୍ଭାବଳି।୬୮।

 

୬୮ ପଦର ତାତ୍ପର୍ଯ୍ୟ - ଶିକାରୀମାନେ ପକ୍ଷୀ ଧରିବା ମାନସରେ ଗୋଟିଏ ଶୁକ୍ଳହାଣ୍ଡି ଭସାଇ ତା ଭିତରେ ଛପି ପକ୍ଷିମାନଙ୍କୁ ମାରନ୍ତି। ଏ ଏକ ରକମ ଶିକାର।

 

କି ନଳିନ ଲତା ହୋଇ ସ୍ନେହରତା ବାଞ୍ଛି ସୂରକର ଗ୍ରହ।

ବଳି ଉପହାର କରି କି ବାହାର ଜଗିଛି ବହି ଆଗ୍ରହ।୬୯।

 

ଶ୍ରୀହସ୍ତ ମୃଣାଳ ଲପନ କମଳ ଉଦର ପଦ୍ମପତର।

କୁଚ ଚକ୍ରବାକ ଡୋଳା ଚଞ୍ଚରୀକ ନାଭି ଆବର୍ତ୍ତ ସୁନ୍ଦର। ୭୦।

 

ଚାରୁ ଭୁରୁଭଙ୍ଗ ଲଘୁତର ଭଙ୍ଗ (୧) କେଶ ଶୈବାଳ ବଶରେ।

ନୋହିଲା ତ ବାରି ବାରି କିବା ନାରୀ ଜଳକେଳି ଅବସରେ।୭୧।

 

ସାନ୍ଧ୍ୟସ୍ନାନବଶୁଁ ରାମାଙ୍କ ସୁଧାଂଶୁ ଲପନ ହେଉ ପ୍ରସନ୍ନ।

କ୍ରମେ ଶତପତ୍ର ହେଲା ସଙ୍କୁଚିତ ବନ୍ଦି ହେଲେ ଭୃଙ୍ଗଗଣ।୭୨।

 

କେତେ ବଧୂଜନେ ସନ୍ଧ୍ୟା ଆଗମନେ ପତି ସହ ମୋଦ ମନେ।

ସମୀର ସେବନ ଗମିଲେ ସେ ବନେ ତହୁଁ ମନ୍ଥରଗମନେ।୭୩।

 

ମାଧବିକା ଦ୍ରାକ୍ଷା ସମାବୃତ ଶାଖାସଙ୍କୁଳ ତାଳ ମାକନ୍ଦ।

ଶାଳମଧ୍ୟସ୍ଥାୟୀ ମଣ୍ଡପକୁ ଯାଇ ଦମ୍ପତ୍ତି ବହି ଆଦନ୍ଦ।୭୪।

 

ସିଞ୍ଚାଇ ସଲିଳ ବିଞ୍ଚାଇ ବହଳ ଭାବେ ଗିରିମଲ୍ଲିଦଳ।

ଉଦ୍ୟାନଭ୍ରମଣ ଶ୍ରମୋପଶମନ କରନ୍ତି ତହିଁ କେବଳ।୭୫।

 

ଭୀମତପ (୨) କାଳେ ଘଟିଲା କପାଳେ ଯାହା ତାହା ରଖି ମନେ।

ଭୀମ ତପ(୩) ଚାହିଁ ଭୟାକୁଳ ହୋଇ ଲୁଚିଲା ସ୍ମର ପ୍ରଚ୍ଛନ୍ନେ।୭୬।

 

(୨) ଭୀମତପ- ଭୀମ ଯେ ଶିବ ତାହାଙ୍କର ତପସ୍ୟା।

(୩) ଭୀମ ତପ- ଭୟଙ୍କର ଗ୍ରୀଷ୍ମଋତୁ।

ଭୃଙ୍ଗଗୁଣଲ୍ୱନ ସ୍ୱନ ଶରଶୂନ୍ୟ ମୂକ ପରଭୃତ ଦୂତ।

ନାରୀ ସୈନ୍ୟାଳସୀ ମ୍ଳାନ ସଖା ଶଶୀ ହେଉ ହେଲା ପରାଭୂତ।୭୭।

 

ମାଧବେ ଉଦ୍ଦଣ୍ଡ ହୋଇ ଫୁଲକାଣ୍ଡ ଉଡ଼ାଇ ବିଜୟକେତୁ।

କରୁଁ ଅତି ଗର୍ବ ହେଲା ଏବେ ଖର୍ବ ଅତ୍ୟୁଚ୍ଚ ପତନ ହେତୁ।୭୮।

 

ରମ୍ଭା ଜାତି ତ୍ୱକ କର୍ପୂର ନାଳୀକ ଦଳନଦଳ ଚନ୍ଦନ।

ସୁରସେ ମୂର୍ଚ୍ଛିତ ସ୍ମରକୁ ସଚେତ କରେ ପ୍ରକୃତି ବହନ।୭୯।

 

ଧର୍ମ ଅର୍ଥ କାମପ୍ରଦ ସତୀଧର୍ମ ଧ୍ୟାୟି ସାବିତ୍ରୀଙ୍କ ବ୍ରତେ।

ହର୍ଷେ ହେଲେ ରତ କୁଳବଧୂବ୍ରାତ ଜ୍ୟେଷ୍ଠ ଦର୍ଶରେ ଜାଗ୍ରତେ।୮୦।

 

ନଗସୁତା ଶିବ ବିବାହଉତ୍ସବ ବିଧାନରେ ଶୈବେ ମାତି।

ଜ୍ୟେଷ୍ଠ ଶୁଦ୍ଧ ଦିନ ହୋଇ ଗୋଷ୍ଠୀ ଉତ୍ସବେ ସାରିଲେ ରାତି।୮୧।

 

ନୀଳଗିରିଦରୀ ଗର୍ଭରୁ ବାହାରି କରିବେଶେ ଜଗନ୍ନାଥ।

ଜ୍ୟେଷ୍ଠ ପୌର୍ଣ୍ଣମୀରେ ସ୍ନାନଦେବୀସରେ ମଜ୍ଜୁ ଭୁବନ କୃତାର୍ଥ।୮୨।

 

ଅନବସରର ଶେଷରେ ଶ୍ରୀଧର ଗୁଣ୍ଡିଚାଯାତ୍ରାରେ ତୋଷେ।

ଭ୍ରାତୃଭଗ୍ନୀ ସଙ୍ଗେ ମହୋତ୍ସବେ ରଙ୍ଗେ ବିଜେ କଲେ ନନ୍ଦୀଘୋଷେ।୮୩।

 

ଭୁବନକିଳ୍ବିଷ ବିଷକୁ ସେ ଗ୍ରାସ କରିବାପାଇଁ କି ହଂସ (୧)

ଜନତା ଜୀବନ ପୂର୍ଣ୍ଣ ସରେ ତୂର୍ଣ୍ଣ ବିଳସଇ ଲଭି ହର୍ଷ।୮୪।

 

(୧)- ହଂସ- ବିଷ୍ଣୁ।

ତକ୍ର ସ୍ନିଗ୍ଧ ଶୀତ ମଧୁର ସସିତ କର୍ପୂର ମହିଷ କ୍ଷୀର।

ରସାଳା (୨) ଖାଣ୍ଡବ (୩) ରାଗ (୪) ଲଘୁଦ୍ରବ୍ୟ ବାସିତ ମୃଦ୍ଘଟ ନୀର।୮୫।

 

(୨) ରସାଳ- ଦଧି, କୁଙ୍କୁମ, ସାକର, କର୍ପୂର, ମଧୁ ପ୍ରଭୃତି ଦ୍ରବ୍ୟ ଏକତ୍ର କରି ଶୁକ୍ଳବସ୍ତ୍ରରେ ଘଷିଲେ ଯେ ଲେହ ହୁଏ, ତାହାର ନାମ ରସାଳା।

 

(୩) ଖାଣ୍ଡବ- ମୁଗର ଝୋଳକୁ ଦାଡ଼ିମାଦି ଦ୍ୱାରା ଅମ୍ଳୀକୃତ ଓ ଲେହବତ୍‌ ଗାଢ଼ କରିଲେ ତାହାର ନାମ ଖାଣ୍ଡବ।

 

(୪) ରାଗ-ମୁଗଝୋଳରେ ଗୋଲମରିଚ ଓ ଗୁଡ଼ ମିଶାଇ ପାନକ ପରି କଲେ ଏହାର ନାମ ରାଗ। ଏ ସକଳ ଆୟୁର୍ବେଦୋକ୍ତ ପ୍ରକ୍ରିୟା !

 

ମଧୁ ଗୁଡ଼ଯୁତ ଲାଜା ବନସ୍ଥିତ ଜନ୍ତୁ ମାଂସ ସେବନୀୟ।

ଅମ୍ଳ କଟୁ ରୁକ୍ଷ ମଦିରା ଅଭକ୍ଷ୍ୟ ବ୍ୟାୟାମ ଅକରଣୀୟ।୮୬।

 

ଜଳଯନ୍ତ୍ରପୁରୀ ରତ୍ନାକର ତୀର ଅତ୍ୟୁଚ୍ଚ ସ୍ଥାନ ନିବାସ।

ଦିନାନ୍ତ ଶଶାଙ୍କ ବାତ ଶୀତୋଦକ ହରେ କିଛି ତପାୟାସ।୮୭।

 

ସଦ୍ୟ ଦୁଃଖହେତୁ ହେଲେହେଁ ଏ ଋତୁ ଭବିଷ୍ୟତେ ସୁଖ ଦେବ।

ବରଷା କାରଣ ଅଟେ ଏ ନିଦାନ ଭାଷେ ରାଜଇନ୍ଦ୍ର ଦେବ।୮୮।

 

ପଞ୍ଚମ ଛାନ୍ଦ

ବର୍ଷାବର୍ଣ୍ଣନା

 

ଧରାମଣ୍ଡନାର ଧରି ପ୍ରେମେ କର ଧୀରେ ଭାଷେ କେଉଁ ପୁଂସ।

ଧରାଧରଚୂଳେ ଧାରାଧର ଖେଳେ ଧରାଧର (୧) ପ୍ରତିକାଶ ଯେ।

(୧) ଧରାଧର- ମହାବରାହ।

ଧନ ଚାହାଁ ଏ ପ୍ରାବୃଟ

ଧୈର୍ଯ୍ୟ କରେ ବିରହିଙ୍କି ପ୍ରୁଷ୍ଟ (୨)।୧।

 

(୨) ପ୍ରୃଷ୍ଟ-ଦଗ୍ଧ।

ହରିହୟ (୩) ଦେବ ଅଭିଷେକୋତ୍ସବ ହେଉଛି ଅମରାଳୟେ।

ମହର୍ଷିନିକର ସୁମଙ୍ଗଳ ସ୍ୱର ସ୍ତନିତ ନାଦ ନିଶ୍ଚୟେ ଯେ।

ବଜ୍ର ଛଳେ ବାଦ୍ୟ ଶବ୍ଦ

ଶୁଭି ଶ୍ରବ କରିଦିଏ ସ୍ତବ୍ଧ।୨।

 

(୩) ହରିହୟ- ଇନ୍ଦ୍ର

ସୁରଙ୍ଗନାବ୍ରାତ ବନ୍ଦାଇବା ଶ୍ୱେତ ଅକ୍ଷତବାର ଶୀକର।

ସୌଦାମିନୀ ବ୍ୟାଜ ଆରତ୍ରିକ (୪) ତେଜ ରେଖା ହେଉଛି ପ୍ରଚାର ଯେ। କୃତ ପୁଷ୍ପାଞ୍ଜଳିସୂନ

ବର୍ଷୋପଳ ବୋଲାଏ ନିଦାନ ଯେ।୩।

 

(୪) ଆରତ୍ରିକ- ଆଳତି।

ଅପସରାଗଣ ତୌର୍ଯ୍ୟତ୍ରିକ ସ୍ୱନ ବୃଷ୍ଟି ଝଙ୍କାର ପ୍ରକଟେ।

ଭୂଷଣବିଚ୍ୟୁତ ରମ୍ୟ ରତ୍ନବ୍ରାତ ଖଦ୍ୟୋତ ଜ୍ୟୋତି ଚହଟେ ଯେ।

ପ୍ରଚଳିତ ସୁକୁନ୍ତଳ

ଘନ କୈତବେ ଦିଶେ ମଞ୍ଜୁଳ।୪।

 

ପ୍ରାବୃଟ ସମୟ ସାଂଯାତ୍ରିକ (୧) ପ୍ରାୟ ଅନନ୍ତ ମହାସଗରେ।

ଧୂମାନିଳ ଜଳ ବହ୍ନୀପୂର୍ଣ୍ଣ କଳ-ପୋତ ଘନ ଛଳେ ଚାଳେ ଯେ।

କରକା ପୃଷତ ବଳେ

ବେଗବଶରୁ କିବା ଉଛୁଳେ।୫।

 

(୧) ସାଂଯାତ୍ରିକ- ପୋତବଣିକ।

ପୁରୁହୂତ ଚାପ ବୈଜୟନ୍ତୀ ରୂପ ରସିତ ଶବଦେ ଯୂତ।

ମାନସୋତ୍କଣ୍ଠିତ ମରାଳସଂଘାତ ଯାତ୍ରିଗଣେ ସମାଶ୍ରିତ ଯେ।

ଖଦ୍ୟୋତ ସ୍ଫୁଲିଙ୍ଗ ବ୍ୟକ୍ତ

ହୁଏ ନିର୍ଦ୍ଧିଷ୍ଟ ନଗରେ (୨) ସ୍ଥିତ ଯେ।୬।

 

(୨) ନିର୍ଦ୍ଧିଷ୍ଟ ନଗରେ -ନିର୍ଦ୍ଧିଷ୍ଟ ସ୍ଥାନେ; ପକ୍ଷେ ପର୍ବତେ।

ବଜ୍ରଲୋହ ଘାତେ ଧାରା ସୂତ୍ର ଜାତେ ଘନ ଝକମକିଶିଳା (୩)।

ଅଙ୍ଗରୁ ଅନଙ୍ଗ ତସ୍କର ସ୍ଫୁଲିଙ୍ଗ ନିକ୍ଷେପ ନୁହେ ଚଞ୍ଚଳା ଯେ।

ପୋଡ଼ି ପାନ୍ଥ ଧୃତିଗ୍ରାମ,

ନିଶ୍ଚେ ହରିବ ପରାଣହେମ ଯେ।୭।

 

(୩) ଝକମକି ଶିଳା- ଏକରକମ ଅଗ୍ନି ଉତ୍ପାଦକ ପ୍ରସ୍ତର।

କୁମୁଦିନୀ ଭୃଙ୍ଗ ସଙ୍ଗେ କେଳିରଙ୍ଗ ରଚୁ ସପତ୍ନୀ ତାରକା।

ଜଳଦ କବାଟ କରି ଉଦଘାଟ ଦେଖିଲା ଧରି ଦୀପିକା ଯେ।

କାନ୍ତେ କହିବାକୁ ଗଲା

ଜବେ ଏ ନୋହେ ଚପଳାଲୀଳା ଯେ।୮।

 

ଭୟଙ୍କର ନୀଳ ରୂପ ଝଞ୍ଜାନିଳ ଶ୍ୱାସଯୁତ ଜଳଧର-

ଶରୀରେ ଚଞ୍ଚଳା ହୋଇ ଖେଳାଲୋଳା ଦିଶିଲେହେଁ ନୋହି ସ୍ଥିର ଯେ।

କରୁଅଛି ଗତାଗତ,

ଭୟ ପ୍ରେମ ମଧ୍ୟେ ହୋଇ ସ୍ଥିତ ଯେ।୯।

 

କାଦମ୍ୱିନୀ ବାମା ଅନନ୍ତ ସୁଷମା ଦେଖି କରୁ ଆକ୍ରମଣ।

ପ୍ରଣୟବିହ୍ୱଳା ଅସ୍ଥିରା ଚଞ୍ଚଳା କରେ ଯାଇ ନିବେଦନ ଯେ।

ପ୍ରତି ଦିଗ ପତି ଆଗେ

ଦୀନସ୍ୱରେ ଅଶ୍ରୁ ତେଜି ରାଗେ ଯେ।୧୦।

 

ପିନ୍ଧି ଧ୍ୱାନ୍ତଶାଟୀ ଚଳପ୍ରଭା ନଟୀ ନଭରଙ୍ଗମଞ୍ଚେ ଖରେ

ଘନ ଯବନିକା ମଧ୍ୟେ ଭ୍ରମି ଏକା ରସିତ ନାନ୍ଦୀ ଉଚ୍ଚାରେ ଯେ।

ଭେକ ଧ୍ୱନି ସୁମର୍ଦ୍ଦଳ,

କେକାବାଣୀ ଶ୍ରୁତି ତହିଁ ମେଳ ଯେ।୧୧।

 

ଅସତୀ ବିନିତା ହୃଦେ ସ୍ନେହଚିନ୍ତା ବିକଶିବା ପ୍ରତିକାଶ।

ଧରାବକ୍ଷସ୍ଥଳେ ହୁଏ ବେଳେବେଳେ ପୁଷ୍ପବନ୍ତ (୧) କର ସ୍ପର୍ଶ ଯେ।

ଦୁଃଖାକ୍ରାନ୍ତ ସ୍ୱାନ୍ତନିଭ

ମ୍ଳାନ ଦୁର୍ଦ୍ଦିନରୁ ବିଶ୍ୱଗର୍ଭ ଯେ।୧୨।

 

(୧) ପୁଷ୍ପବନ୍ତ-ଚନ୍ଦ୍ର ସୂର୍ଯ୍ୟ

ଧରିତ୍ରୀ ସୁନ୍ଦରୀ ସ୍ମରାତୁରା ପରି ସ୍ୱେଦଘନରସେ ପୂରି।

କଦମ୍ୱ କୋରକ କପଟେ ପୁଲକ ଜନ୍ମାଇ ପ୍ରଣୟେ ଜରି।

ସ୍ଫୁଟ ମଲ୍ଲୀଫୁଲେ ହସେ

ପ୍ରିୟ ପ୍ରାବୃଟ ପ୍ରାପ୍ତି ଉଲ୍ଲାସେ ଯେ।୧୩।

 

ପ୍ରବୃଷେଣ୍ୟ (୧) ସ୍ୱନ ପଲ୍ଲବେ ମଣ୍ଡନ ହେଲା ଉପବନ ଶିରୀ।

ମରନ୍ଦପୃଷତନିବହରେ ସିକ୍ତଶରୀରା ଧରିତ୍ରୀ ନାରୀ ଯେ।

ସୁମରଜ ଅଙ୍ଗରାଗେ।

(୧) ପ୍ରବୃଷେଣ୍ୟ- ବର୍ଷାକାଳୀନ।

ଶୋଭେ ପ୍ରକୃତିଦେବୀ ସରାଗେ ଯେ।୧୪।

 

ପତ୍ରାଳୀମଣ୍ଡିତା ସୁମନଶୋଭିତା ଶିଳୀମୂଖ (୨) ସମାତୁରା।

ସୁରସଭରିତା ହୋଇ ପ୍ରଫୁଲ୍ଲିତା ଦରଶନମନୋହରା ଯେ।

ସଙ୍କେତ ଆଗତା କାନ୍ତା-

ସମ ଦିଶିଲେ ଅନେକ ଲତା ଯେ।୧୫।

 

(୨) ଶିଳୀମୂଖ- ଭୃଙ୍ଗ; ପକ୍ଷେ ଶର।

ସୁରସଲୋଲୁପ ମଧୁପକଳାପ ବିକଶିତ ଗିରିମଲ୍ଲୀ-

ଗୁଚ୍ଛ ଚାରିପାଶେ ଘେରି ସ୍ନେହବଶେ ଗୁଞ୍ଜସ୍ୱରେ କରି ଅଳି ଯେ।

ଜଳ ଯୋଗୁଁ ନ ଚୁମ୍ୱନ୍ତି।

ଲୋଭୁ ନ ଛାଡ଼ି କାନ୍ଦି ଭ୍ରମନ୍ତି ଯେ।୧୬।

 

କୋକିଳେ ସରାଗେ କେତକ ପରାଗେ ରଞ୍ଜିତ ହେଲେ ନିରତ।

ପୁନ୍ନାଗ ତମାଳ ମରନ୍ଦ ଭ୍ରଷଳ-ପ୍ରକର ପିଇ ଉନ୍ମତ୍ତ ଯେ।

ନୀଳୋତ୍ପଳ କୁବଳୟ-

ପୁଷ୍ପେ ପୂର୍ଣ୍ଣ ହେଲା ଜଳାଶୟ ଯେ।୧୭।

 

କାଳକଣ୍ଠକୁଳ (୩) ନୀଳକଣ୍ଠଜାଳ ଉନ୍ମତ୍ତ କାକଳୀ ଶୁଣି।

ମନ୍ଦତନୟର ରୁଦ୍ଧ ହେଲା ଗଳ ଯଥା ସ୍ୱାର୍ଥୀ ଲେଭୀଶ୍ରେଣୀ।

ସମ୍ମୁଖରେ ଘଟିଗଲେ

ପର ଉଦୟ ବାକ୍ୟ ନ ସ୍ଫୁରେ ଯେ।୧୮।

 

(୩) କାଳକଣ୍ଠ- ଡାହୁକ।

ଚାହାଁ କାମକେଳିକୁତୁକିନୀ ଖେଳି ଯାଉଥିବା ଭୁଜଙ୍ଗୀକି।

ନିରେଖି ଥକିବା ପରି ପାନ୍ଥ ଯୁବା ବିଷପୂର୍ଣ୍ଣ ଧୁନି ଦେଖି।

ବଳି ଯିବାକୁ ନ ପାରି,

ଡାକେ ଶୋକେ ହା ପରାଣେଶ୍ୱରୀ ଯେ।୧୯।

 

ସାଗର ନାଗର ତରଙ୍ଗିଣୀ ବାରବିଳାସିନୀ ରଙ୍ଗେ ବରି।

ତରଙ୍ଗ ସ୍ୱକର ବଢ଼ାଇ ତାଙ୍କର ଫେନ ବାସାଞ୍ଚଳ ଧରି ଯେ।

ଧ୍ନନି ଛଳେ ମିଶ ଦେହେ,

ବୋଲେ ବକ୍ଷ ସ୍ଫୀତ କରି ସ୍ନେହେ ଯେ।୨୦।

 

ନୂତନ ସଲିଳ ମିଶ୍ରଣୁ ଆବିଳ ହୋଇବାରୁ ହ୍ରଦୋଦର।

ମାନସ୍ସର କେଳି ମାନସରେ ଭାଳି ଗଲେ ମରାଳପ୍ରକର ଯେ।

ଖଳସଙ୍ଗ ତେଜି କୃତୀ

ଜନ ଯଥା ଲୋଡ଼େ ସାଧୁ ପ୍ରୀତି ଯେ।୨୧।

 

ମାନସ୍ସର ପରି ମେଘପୁଷ୍ପେ (୧) ପୂରି ଶାଳୀବନ ହରେ ଚିତ୍ତ।

ରୋପଣନିମଗ୍ନା ହାଳିକ ଅଙ୍ଗନା ହଂସାଳୀ ତହିଁ ଶୋଭିତ ଯେ।

କେଶପାଶ ଅଂଶଦେଶେ

ଫିଟି ଶୈବାଳ ଶୋଭା ପ୍ରକାଶେ ଯେ।୨୨।

 

(୧) ମେଘପୁଷ୍ପ-ଜଳ

ତାହାଙ୍କ ସରଳ ଲୋଚନ ଉତ୍ପଳମାଳରେ ଦିଶେ ରଞ୍ଜିତ।

କମ୍ପିତ ଅଂଶୁଳ ଅଞ୍ଚଳ ବଳାକକକୁଳ ଉଡ଼ନ୍ତି ନିଶ୍ଚିତ ଯେ।

ହୁଳହୁଳି କଳନାଦ

ଶୁଭି ହୃଦେ ଜନ୍ମାଉଛି ମୋଦ ଯେ।୨୩।

 

ବୈସାରିଣ (୧) ବଂଶ ଚିରଦିନୁ ବାସ କରିଥିବା ସରୋବର।

ବରଜି ଉଲ୍ଲାସେ ନିର୍ଝରିଣୀ ରସେ ମଜ୍ଜିଲେ ହୋଇ ଅସ୍ଥିର ଯେ।

କାମ ନିଜ ନାରୀ ଛାଡ଼ି

ଯଥା ବେଶ୍ୟାରସେ ଯାଏ ବୁଡ଼ି ଯେ।୨୪।

 

(୧) ବୈସାରିଣ-ମତ୍ସ।

ନୂତନ ରୋପିତ କେଦାରେ ସଂସ୍ଥିତ କୁଳୀର (୨) ଗ୍ରାସିବାପାଇଁ।

ପରଶ୍ରୀକାତର ତସ୍କର ପ୍ରକାର ଶୃଗାଳେ ଆସନ୍ତେ ଧାଇଁ ଯେ।

ଭେକକୃତ ରବ ଛଳ,

ଶୁଭେ ଜନମୁଖ କୋଳାହଳ ଯେ।୨୫।

 

(୨) କୁଳୀର-କଙ୍କଡ଼ା।

ନୃପତି ଆସ୍ଥାନେ ମୂର୍ଖଲୋକମାନେ ନୀରବେ ବସିବା ନିଭ।

ଧୂର୍ତ୍ତ ବକଗଣ ଘେରିଲେ କରଣ ପରି ଜମିଲେ ଡୁଣ୍ଡୁଭ (୩) ଯେ।

ମୀନ ଧନ ଅନାୟାସେ

ମୋଦେ ଘେନିଯିବେ ନିଜ ବାସେ।୨୬।

 

(୩) ଡୁଣ୍ଡୁଭ- ଧଣ୍ଡାସାପ।

ଯଥା କ୍ରୁର ଲୋକ ବରଜି ବିବେକ ସାଧୁ ଗୃହେ ରହି ପୀଡ଼େ।

ତଥା ସର୍ପରାଜି ନିର୍ମୋକକୁ ତେଜି ପଶି ଅନୋକହ (୪) ନୀଡ଼େ ଯେ।

ଛାଡ଼ି ବନପୂର୍ଣ୍ଣ ବିଳ,

ପକ୍ଷିଶ୍ରେଣୀକି କଲେ ବ୍ୟାକୁଳ ଯେ।୨୭।

 

(୪) ଅନୋକହ-ବୃକ୍ଷ।

ଯନ୍ତ୍ରାଳୟ ଧୂମସ୍ତମ୍ଭୁ ବିନିର୍ଗମ ହୁଏ ଯଥା ଧୂମଲେଖା।

ଝଡ଼ିବଶୁଁ ଝଡ଼ିପୋକେ ଗର୍ତ୍ତ ଛାଡ଼ି ଉଡ଼ିଲେ ତଥା ଅଲେଖା ଯେ।

ଭାବୀ କଥାକୁ ନ ଭାବି,

ଯଥା ମୂର୍ଖ ତେଜେ ଜନ୍ମଉର୍ବୀ ଯେ।୨୮।

 

କଫରୋଗୀ ଯଥା ଆଣ୍ଠୁତଳେ ମଥା ପୋତି କାଶି କାଶି ବସେ।

ନିବାସବିହୀନେ ତଥା କପିଗଣେ ଝଞ୍ଜାସମୀରଣ ସ୍ପର୍ଶେ ଯେ।

ଥରୁଛନ୍ତି ତ୍ରସ୍ତଭାବେ।

ପାନ୍ଥ ସୁଦ୍ଧା ଏ ଦଶା ଭୋଗିବେ ଯେ।୨୯।

 

ଶକୁନ(୧) ନିକର ସର୍ବଦା ଆସାର(୨) ପତନୁ ପାଇଲେ କ୍ଳେଶ।

ପାଳିତ କୁରର(୩) କପୋତପ୍ରକର ଘୁମୁରିଲେ ଲଭି ତୋଷ ଯେ।

ସରୀସୃପେ ଅଣ୍ଡାବଳି

ରଖି ଗଲେ ନିଜେ ଭୂଇଁ ଖୋଳି ଯେ।୩୦।

 

(୧) ଶକୁନ-ପକ୍ଷୀ।

(୨) ଆସାର-ଧାରା।

(୩) କୁରର- ପକ୍ଷିବିଶେଷ।

ଶଶ ଶଲ୍ୟ(୪) ବାର ନୋହିଲେ ବାହାର ଡାକେ ସୁଖେ ଘୂକ(୫) ଭ୍ରମି।

ହାରୀତ(୬) ନିକର ପକ୍ୱଫଳଭର ବଡ଼ ବୃକ୍ଷେ ଗଲେ ଜମି ଯେ।

ଭୋକେ ବ୍ୟାଘ୍ର ସିଂହ ଦରୀ-

ଗର୍ଭେ ଶୋଇଲେ ଦରିଦ୍ର ପରି ଯେ।୩୧।

 

(୪) ଶଲ୍ୟ-ଝିକ। (୫)ଘୂକ-ପେଚକ।

(୬) ହାରୀତ- ହରଡ଼।

ବ୍ୟଭିଚାରୀ ପରଦ୍ରୋହୀ କାମୀ ଚୋର ପ୍ରମୋଦପ୍ରଦ ଏ ରାତି।

ବରାହ ଗଣ୍ଡକ (୭) କୁମ୍ଭୀର ନିହାକ(୮) ନିର୍ଭୟରେ ସଞ୍ଚରନ୍ତି ଯେ।

ବହୁପଦୀ(୯) ଶୁକ୍ତ(୧୦) ପ୍ଳବେ(୧୧)

ଡ଼ିମ ପକାଇ ନିଶ୍ଚେ ମରିବେ ଯେ।୩୨।

 

(୭) ଗଣ୍ଡକ- ଗଣ୍ଡା।

(୮)ନିହାକ - ଗୋଧି

(୯) ବହୁପଦୀ-ଗେଣ୍ଡମଳା।

(୧୦) ଶୁକ୍ତି-ଶାମୁକା।

(୧୧) ପ୍ଳବ-ଭେକ।

ନଟର ଅଧୀରା ପ୍ରମତ୍ତମଦିରା (୧) ଲୋଚନା ଚାହାଁ ସତ୍ୱର।

ଏ ସମୟୋଚିତ ସୁବେଶରେ ଚିତ୍ତ ବଳାଇ ନାରୀନିକର ଯେ।

ଘନକାଳ ଶୋଭା ତୁଲେ

ମିଶି ଯାଉଛନ୍ତି କି ଉତ୍‌ଫୁଲ୍ଲେ ଯେ।୩୩।

 

(୧) ପ୍ରମତ୍ତମଦିରା-ମତ୍ତଖଞ୍ଜନ।

ନବ ଜଳଧର ତମିସ୍ର ମସାର(୨) କେଶ ପ୍ରସାଧନେ ମଜ୍ଜି।

ବାଳଭୁଜଙ୍ଗିନୀ ପରି ନୀଳ ବେଣୀ ରମ୍ୟ ପୃଷ୍ଠଅଂଶେ ସାଜି ଯେ।

(୨) ମସାର-ଇନ୍ଦ୍ରନୀଳମଣି

ମଦାଳି(୩) ସୁଷମା ଜିଣି,

ଚୂର୍ଣ୍ଣକୁନ୍ତଳ ଭାଲେ ନିର୍ମାଣି ଯେ।୩୪।

 

(୩) ମଦାଳି-ମତ୍ତଭୃଙ୍ଗ।

ଭୂରୁ ମଧ୍ୟେ ରଞ୍ଜି କୃଷ୍ଣାଭ୍ରର ପୁଞ୍ଜି ତା ପରେ କସ୍ତୁରୀ ଶିରା।

ଲେଖିଲେ ସୁମନେ ପତ୍ରାବଳୀ ସ୍ତନେ ଚିବୁକେ ଶିଶୁ ଭ୍ରମରୀ ଯେ।

ନେତ୍ରେ ଦେଲେ ଯା ଅଞ୍ଜନ,

ବିଷାଇଲେ କି ମଦନବାଣ ଯେ।୩୫।

 

ମହାର୍ଘ୍ୟ ସୁନୀଳ ରତନେ ମଞ୍ଜୁଳ ଉତ୍ତଂସକୁ (୪) ମୋଦେ ପିନ୍ଧି।

ତୃଣଗ୍ରାହୀ ସାର ମରକତ ହାର ତାଡ଼ ବାଜବନ୍ଧ ବାନ୍ଧି ଯେ।

(୪) ଉତ୍ତଂସ-ଶିରୋଭୂଷଣ

ବୈଦୁର୍ଯର ଚୁଡ଼ିଚୟ,

ଅଙ୍ଗୁରୀୟେ(୫)ହେଲେ ରମଣୀୟ ଯେ।୩୬।

 

ସାର ନୀଳକାନ୍ତ ରତନଖଚିତ ମେଖଳାକୁ ବାଛି ମୋଦେ।

(୫) ଅଙ୍ଗୁରୀୟ-ମୁଦ୍ରିକା।

ଗୋମେଦର ବର ପାଉଞ୍ଜି ନୂପୁର ପାଦପଦ୍ମ(୬) ଖଞ୍ଜି ପଦେ ଯୋ

ସୁମନ ବିଭୂଷଣେ

ରସିଗଲେ ସେ ରସିକାମାନେ ଯେ।୩୭।

 

(୬) ପାଦପଦ୍ମ- ଏହି ନାମର ପାଦର ଅଳଙ୍କାରବିଶେଷ।

କରି ପେଟିଗଳା (୧)ନୀଳ ଝିଣ୍ଟି କଳା ଇଟଳାମାଳା ଅତସି।

(୧) ପେଟିଗଳା- ଏକରକମ ପୁଷ୍ପଗ୍ରଥନ।

ପଟଗୁମ୍ପା(୨) ତୁଲେ ତମାଳର ଦଳେ ସରୁପତ୍ରୀ ଝରା(୩) ଖୋଷି ଯେ।

ସ୍ଫୁଟ ନୀଳୋତ୍ପଳ ତୋଷେ

ଅବତଂସ କଲେ କର୍ଣ୍ଣଦେଶେ ଯେ।୩୮।

 

(୨) ପଟଗୁମ୍ପା- ଏକରକମ କାନଗୁମ୍ଫା

(୩) ସରୁପତ୍ରୀ ଝରା-ସ୍ୱନାମପ୍ରସିଦ୍ଧ ଝରା।

ସୁନାଜରିମୟ ଅସିତ କୌଷେୟ(୪) ଶାଟିକା ପିନ୍ଧି ସରାଗେ।

ଯମୁନା ସରିତ ପ୍ରବାହସମ୍ମିତ କୁଞ୍ଚାକୁ ଲମ୍ୱାଇ ଆଗେ ଯେ।

ତା ଅଞ୍ଚଳ ବାମେତର

ସ୍କନ୍ଧଭାଗେ କରି ମନୋହର ଯେ।୩୯।

 

(୪) ଅସିତ କୌଷେୟ-କଳା ରେଶମୀ।

ମୋଦେ ବହୁମୂଲ୍ୟ କଳା ମଖମଲ ନିଚୋଳ ଭିଡ଼ି ହରଷେ।

ପ୍ରିୟପ୍ରମେଦତ୍ତ କରରୁହକ୍ଷତ ଲୁଚାଇଲେ କି ରଭସେ ଯେ।

କିବା କାଳିକା (୫) ଉଦୟ

ଚାହିଁ ଘୋଡ଼ାଇଲେ କୁଚଦ୍ୱୟ ଯେ।୪୦।

 

(୫) କାଳିକା-ମେଘମାଳା। ସ୍ତନର କରିକୁମ୍ଭ ସାଦୃଶରୁ କାଳିକାଙ୍କର ସିଂହଠାରୁ ଶଙ୍କା କରି।

ପୀତ କଞ୍ଜକଳି ପରେ ଅଳିଆଳି ଜମିଲେ କି ମଧୁ ଲୋଭେ।

କି ହେମ ଯାମଳ ଭୂଧରକୁ ନୀଳ ନୀରଧର ଘାଟି ଶୋଭେ ଯେ।

କିବା ଶମ୍ଭୁ କୁତୂହଳେ।

ଗଜାଜନ ବାସଲାଗି ହେଲେ ଯେ।୪୧।

 

ମୋଦେ କି ତାରୁଣ୍ୟ ସୁନାରୀ ସୁବର୍ଣ୍ଣ କନ୍ଦୁକକୁ ନିକଟରେ।

ଭେଟିବ ମଦନେ ରଖିଛି ଯତନେ ନୀଳମଣିସମ୍ପୁଟରେ ଯେ।

ସାର ସୁନୀଳ ଦୁକୂଳ-

ଉପରାଣେ ଦିଶିଲେ ମଞ୍ଜୁଳ ଯେ।୪୨।

 

ଇନ୍ଦ୍ରନୀଳମଣି ମୂର୍ତ୍ତି ଶୋଭା ଜିଣି ବଳଭିରେ ବିଳସିଲେ।

କି ଶ୍ୟାମାୟମାନ ବନପୂର୍ଣ୍ଣ ଘନଖଣ୍ଡ ଆକାଶରେ ଚଳେ ଯେ।

କିବା କାମ ଉତ୍କୋଷିତ

ଅସିଲତା କରେ ସଞ୍ଚାଳିତ ଯେ।୪୩।

 

ମାଳତି କୁସୁମ ସୁବେଶରେ ବାମନେତ୍ରା କେତେ ନିଜ ରମା।

ବଢ଼ାଇ ରମଣ ମାନସ ହରଣ କଲେ ପ୍ରଣୟର ସୀମା ଯେ।

ନ ରହିଲା ଦୁହିଙ୍କର,

ସବୁ କରି ପାରେ ଅବସର ଯେ।୪୪।

 

ପୁଷ୍ପାସବ ପାନେ ସ୍ମେର ସୁଲୋଚନେ ଧରି କୋକନଦ ଶିରୀ।

ମାଦନ ବିକୃତି ହେବାରୁ ଉତ୍ତପତି ବଦନ ପ୍ରସନ୍ନ କରି ଯେ।

ହାବ ଭାବ ଭଙ୍ଗି ସ୍ମିତ-

ପୂର୍ଣ୍ଣ ଭାଷ ପ୍ରକାଶିତ ନିରତ ଯେ।୪୫।

 

ସମ ସଖୀ ସଙ୍ଗେ ପଶା ଖେଳେ ରଙ୍ଗେ ରସିଲେ ପ୍ରମଦାବାର।

ବୃଷ୍ଟିନାଦ ଶୃତି ସଙ୍ଗେ କେତେ ସତୀ ମିଳାଇଲେ ନିଜ ସ୍ୱର ଯେ।

କେତେ ବିଳାସିନୀ ଲୋଳେ

ଦେଲେ ମାନସ କନ୍ଦୁକ ଖେଳେ ଯେ।୪୬।

 

ବିଯୋଗିନୀ ବାଳା ଘନେ ଶମ୍ପା ଲୀଳା ଦେଖି ହୃଦେ ଶୁଚିରସ।

ଜନ୍ମାଇ ନିଭୃତ କକ୍ଷରେ ଦୁଃଖିତ ମନେ ମୁଞ୍ଚିଲା ନିଶ୍ୱାସ ଯେ।

ଅନ୍ତରଙ୍ଗ ସଖୀ ପ୍ରତି

ଭାଷେ ସ୍ମରି କାନ୍ତ ପ୍ରୀତି ଯେ।୪୭।

 

ଚତୁର୍ଦଶ ଲୋକ ଶାଶକ ଦର୍ପକ ଆଦେଶ ବହି ମସ୍ତକେ।

ତିଳେ ହେଲେ ବଧୂଜନ ଅନୁରୋଧୁଁ ବଞ୍ଚିତ ନୋହିଲେ ଲୋକେ ଯେ।

ପ୍ରାବୃଟର ପ୍ରଭାବରୁ

ମାନ ପାସୋରିଦେଲେ ରମ୍ଭୋରୁ।୪୮।

 

ଶ୍ରାବଣ ପର୍ବରେ ତରୁଣନିକରେ ଗହ୍ମାକୁ ନିର୍ମାଣ କରି।

ଲୋଳ ବାନ୍ଧି ଲୋଳେ ଡେଇଁଲେ ସବଳେ ବାଦାନୁବାଦ ଆଚରି ଯେ।

ଅଭିଷିକ୍ତ ହେଲେ ନୃପେ

ଅଭିମନ୍ତ୍ରିତ ପବିତ୍ର ଆପେ।୪୯।

 

ଭାଦ୍ରପଦ କୃଷ୍ଣ ଅଷ୍ଟମୀରେ କୃଷ୍ଣ ଜନମି ଚନ୍ଦ୍ରମା ପରି।

କଂସସୁଖ କୋକ ବସୁଦେବ ଶୋକ ତମବଳେ ଭିନ୍ନ କରି ଯେ।

ରୋହଣୀ ଆନନ୍ଦ ଦେଇ,

ଗୋପବ୍ୟୋମେ ବିଳସିଲେ ରହି।୫୦।

 

ନାରୀକେଳ ଛେନା ମକା ମୁଗ ଚଣା ରାଶି ଝୁଡ଼ୁଙ୍ଗର ପୁରେ।

କରି ସପ୍ତବିଧ ପିଷ୍ଟକ ଆରାଧ୍ୟ ଦେବଙ୍କୁ ପୂଜିଲେ ନରେ ଯେ।

ସତୀମାନେ ପତିହିତ-

କାମେ କଲେ କୌଶୀଦର୍ଶ(୧) ବ୍ରତ ଯେ।୫୧।

 

କୌଶୀବ୍ରତ- ଭାଦ୍ରପଦ ଅମାବାସ୍ୟାରେ ସ୍ତ୍ରୀମାନେ କରନ୍ତି।

ହରିତାଳିକାରେ ଜନେ ଭକ୍ତିଭରେ ପୂଜା କରି ବିଘ୍ନରାଜ।

ଦୋଷାକର ନାମ ବଶୁ କି ସେ ଦିନ ନ ଚାହିଁଲେ ଦ୍ୱିଜରାଜ।

ହେଲେ ସୁଦ୍ଧା କଳାବନ୍ତ,

ଥିଲେ ଦୁର୍ଗୁଣ ନୁହେ ବିଖ୍ୟାତ।୫୨।

 

ଏକାଳେ ସୋରିଷ ଗହମ ମାରିଷ ବଥୁଆ ପୋଇ ତର୍ଭୁଜ।

ସାଠିକା ଚାଉଳ ସଜନା ପଟୋଳ ବିରି ଲସୁନ ପିଆଜ ଯେ।

ପକ୍ୱ କଖାରୁ ବାଙ୍ଗିଣ।

ସ୍ୱାସ୍ଥ୍ୟ ପୁଷ୍କରିଣୀ ଜଳ ପାନ ଯେ।୫୩।

 

ମାଲପା ଗୋକ୍ଷୀର ଖେଚୁଡ଼ି ଘୀବର ଆଖୁ ଲଡ଼ୁ କ୍ଷିରି ଫେଣି।

ଶଶ ଋଋ(୧) ଛେଳି ହରିଣ ତିତିରି କବତା ହରଡ଼ ପୁଣି ଯେ।

ଗୁଡ଼ ଦଧି କ୍ଷୁଦ୍ର ମୀନ,

ଶ୍ରୟ ଯଥୋଚିତ ମଧୁପାନ ଯେ।୫୪।

 

(୧) ଋଋ-ଜିଆଦ।

ଲାଉ ଘୀତୋରଡ଼ା ନାଡ଼ିକା ସିଙ୍ଗଡ଼ା ଯବ ମହିଷର କ୍ଷୀର।

କଙ୍ଗୁ ରାଜମାଷ(୨) ଆଳୁ ଶୁଷ୍କ ମାଂସ ମୁଗ ମସୁର ମଟର ଯେ।

ଚଣା କନକା କାକୁଡ଼ି।

କୋଦ ବର୍ତ୍ତୁଳକୁ ଦେବ ଛାଡ଼ି।୫୫।

 

(୨) ରାଜମାଷ-ବିରି।

ବିଶେଷ ବ୍ୟାୟାମ ଶ୍ରମପ୍ରଦ କାମ ଦିବାନିଦ୍ରା ନିଧୁବନ।

ବହୁ ଅଧ୍ୟୟନ ଜାଗର ପ୍ଳବନ ହସ୍ତି ଅଶ୍ୱ ଆରୋହଣ

ମୟୁର ମାଂସ ଭକ୍ଷଣ,

ଆୟୁର୍ବେଦରେ ଅନିଷ୍ଟ ଜାଣ।୫୬।

ଏ ବରଷାକାଳ ବିଯୋଗୀର କାଳ ସଂଯୋଗୀର ସ୍ୱର୍ଗଧାମ।

ନାରୀ ଅପରାଧୀ ଜନଙ୍କ ବିରୋଧୀ ହୋଇ ଦଣ୍ଡ ଦେବ କାମ ଯେ।

ଯଥା ହିନ୍ଦୁଙ୍କର ଦ୍ୱିଜ,

ତଥା ଆଦିରସ ହେଲା ପୂଜ୍ୟ।୫୭।

 

ବ୍ୟୋମ ଘନାଚ୍ଛନ୍ନ ଆସାରେ ସମ୍ପର୍ଣ୍ଣ ହୋଇଲେ ଦିକ୍‌ଚକ୍ରବାଳ।

ଶିଖରୀ ଶିଖର ଶିଖଣ୍ଡସଙ୍କୁଳ ପଲ୍ଲବିତ ବନସ୍ଥଳ ଯେ।

ଶାବ୍ଦଳିତ ରସାତଳ।

ପୁଷ୍ପଜାଳେ ତଡ଼ାଗ ମଞ୍ଜୁଳ ଯେ।୫୮।

 

ଦୃଷ୍ଟି କାହିଁ ଦେବ ରାଜଇନ୍ଦ୍ରଦେବ ଭାଷେ ବିରହୀ ଏ ଋତୁ।

ବିତରି ଜୀବନ ରଖଇ ଜୀବନ ଶସ୍ୟ ଉତ୍ପାଦନ ହେତୁ ଯେ।

ଅଭିସାରିକାର ଚିତ୍ତ

ମୋଦ ଖେଦ ଦୋଳାରେ ସଂସ୍ଥିତ ଯେ।୫୯।

 

ଷଷ୍ଠ ଛାନ୍ଦ

ଶରତ୍‌ବର୍ଣ୍ଣନ

ଆଷାଢ଼ଶୁକ୍ଳ ବାଣୀ

 

କପି ସିଂହଙ୍କ ଚିତ୍ତଉଲ୍ଲାସକ।

ଦ୍ୱିଜରାଜହଂସ ମୋଦଦାୟକ।

ରାମ ସମ୍ମିତ ଏ ଋତୁନାୟକ।

ଶରଦ ସମୟ

ହରଷ ସୁଖଦ ସୁରସମୟ।୧।

 

(୧) ଶରଦ ରାମ ପରି- ରାମ ନିର୍ମଳ ଚନ୍ଦ୍ରହାସ ଖଡ୍ଗପ୍ରକାଶକ; ଋତୁ ଚନ୍ଦ୍ରର ହାସପ୍ରକାଶକ। ରାମ କପିସିଂହ ହନୁମାନଙ୍କ ଉଲ୍ଲାସକ; ଋତୁ କପି-ବାନର ସିଂହ ଉଲ୍ଲାସକ। ରାମ ଦ୍ୱିଜରାଜ ଯେ ବ୍ରାହ୍ମଣଶ୍ରେଷ୍ଠ ପୁଣି ହଂସ ଯେ ବ୍ରହ୍ମା ଶିବ, ଏମାନଙ୍କ ମୋଦଦାୟକ; ଋତୁ ଦ୍ୱିଜ ଯେ ପକ୍ଷିମାନେ ଓ ରାଜହଂସର ମୋଦଦାୟୀ।

 

ପ୍ରଭାବନ୍ତ ସୂର କର ପ୍ରସରି।

କୁମୁଦବତୀର ହରନ୍ତେ ଶିରୀ।

ସହଚର ଅରିକୁଳ (୨) ଆତୁରେ।

ଲୁଚିଲେ ବନେ ତସ୍କର ପ୍ରକାରେ।

ତମୀର (୩) ନାମକୁ

ନାଶିଲା ଦେଖାଇ ସ୍ୱବିକ୍ରମକୁ।୨।

 

(୨) ଅରିକୁଳ-ଚକ୍ରବାକମାନେ; ପକ୍ଷେ- ଶତ୍ରୁମାନେ।

(୩) ତମୀ-ସୂରପକ୍ଷେ, ତମୋଗୁଣବିଶିଷ୍ଟ ବ୍ୟକ୍ତିର।

ପ୍ରତାପୀ ନୃପନିଭ ବିବସ୍ୱତ।

କରନିକର ବିଶ୍ୱେ କରି ପାତ।

ପତ୍ରୀଜାଳେ କରୁ ପ୍ରତାପ ଖ୍ୟାତି।

ଉଡ଼ିଲା କାଶ ଯଶବୈଜୟନ୍ତୀ।

ପରିପନ୍ଥିଜନ-

ହୃଦସମ ଶୁଷ୍କ ହେଲା ଅୟନ।୩।

 

ଶରଦୃତୁରାଟ ହୋଇ ସକ୍ରୋଧ।

କରିବାପାଇଁ ବିଦେଶିଙ୍କି ବଧ।

ଫିଙ୍ଗିଅଛି ଶାଣୋଲ୍ଲୀଢ଼ ହୀରକ।

ରଥାଙ୍ଗ ନିଶ୍ଚେ ଏ ନୁହେ ଶଶାଙ୍କ।

ନାରୀ ଅପରାଧୀ

ମାନବର ଗର୍ବ ଦେବ ତ ସାଧି।୪।

 

ନିଜ ଗୌରବ କରନ୍ତେ ବର୍ଦ୍ଧନ।

ଶରଦ ପ୍ରତି ହୋଇଇ ଆନନ୍ଦନ।

ବିଧୁବ୍ୟାଜେ ବଜ୍ରମୟ ପଦକ।

ଉପହାର ଦେଇଛି କି ଦର୍ପକ।

କିରଣକୈତବେ

ତା ବିଶୁଦ୍ଧ ତେଜ ପ୍ରସରେ ଭବେ।୫।

 

ନିଶାନାରୀ ପ୍ରିୟ ପ୍ରସନ୍ନ ଚାହିଁ।

ପୂର୍ବାପେକ୍ଷା ନିଜ ତନୁ ବଢ଼ାଇ।

ସପତ୍ନୀ ତାରକା ଦେଖିବେ ବୋଲି।

କୃଷ୍ଣାଭିସାରିକା ରୀତିକି ଭାଳି।

ଦଳି ମୃଗମଦ

ସୁବେଶ ହୁଅଇ ଲଭି ପ୍ରମୋଦ।୬।

 

ଚନ୍ଦ୍ରକାନ୍ତରସେ ମଜ୍ଜି ଅନିଶେ।

ସିତାଭ୍ର (୧) ତଳ୍ପେ ବିଳସୁ ଉଲ୍ଲାସେ।

ସିତାଂଶୁକ (୨) ଲାଭ କରୁ ସତ୍ୱରେ।

ସୁନ୍ଦର ଦିଶିଲା ସ୍ୱେତ ଶରୀରେ।

ତା କସ୍ତୂରୀପଙ୍କ

ବିଧୁ ଦେହେ ଶୋହେ ନୁହେ କଳଙ୍କ।୭।

 

(୧) ସିତାଭ୍ର- କର୍ପୂର, ପକ୍ଷେ ଶୁକ୍ଳମେଘ।

 

(୨) ସିତାଂଶୁକ- ଶୁକ୍ଳକିରଣ, ଶୁକ୍ଳବସ୍ତ୍ର।

ଦେଖି ଏ ରୀତି କୈରବିଣୀ ନାରୀ।

ସମୂର୍ତ୍ତିକାକରପତ୍ର ପ୍ରସାରି

ମକରନ୍ଦ ଅଶ୍ରୁ ତେଜି ବିନୟେ।

ଭୃଙ୍ଗଗୁଞ୍ଜସ୍ୱରେ କାନ୍ଦି ଜଣାଏ।

ଅବଳାଙ୍କ ପ୍ରତି,

ଅବଶ୍ୟ ଦୁଃଖଦ ନାଥ ଏ ରୀତି।୮।

 

ଶରଦ ଆଦେଶୁ ଶର୍ବରୀବର।

ଧୋବା ପରି ଧବଳନ୍ତେ ଅମ୍ୱର।

ପାଶସ୍ଥିତ ତାର ତାରକାବାର।

ବିଷାଦେ ପାଣ୍ଡର ହେଲେ ସତ୍ୱର।

କେ ପୁଣି ସହିବ,

ନୟନେ ଦେଖି ସ୍ୱପତି ଲାଘବ।୯।

 

ଇଂରାଜ ଅବନୀଶ୍ୱର ସମାନ।

ରଖି ଆକାଶେ ବିଧୁ ବ୍ୟୋମଯାନ।

ଜ୍ୟୋତ୍ସ୍ନା ଶସ୍ତ୍ର ସାନ୍ଦ୍ରେ କରୁ ବର୍ଷଣ।

ରଥାଙ୍ଗ ଜର୍ମନୀ ସୈନିକଗଣ।

କଲେ ପଳାୟନ,

ରାଜ୍ୟସର ତେଜି ସମ୍ଭାଳି ପ୍ରାଣ।୧୦।

 

ସହବାସ ସ୍ନେହୁ ପଦ୍ମିନୀକୁଳ।

ସଂଙ୍କୋଚେ ରହିଲେ ହୋଇ ବ୍ୟାକୁଳ।

ପ୍ରଜା ନୀଳୋତ୍ପଳ ବନେ କେବଳ।

ଅଳିନାଦେ ପଡ଼ିଗଲା ଚହଳ।

ଶରଦ ଇଂରାଜୀ-

ପ୍ରତାପ ଭୁବନେ ଗଲା ବିରାଜି।୧୧।

 

ଶୀତଳ ମଧୁର ରସଧାରିଣୀ।

ସନ୍ତପ୍ତହୃଦପ୍ରଶାନ୍ତକାରିଣୀ।

ଶ୍ରୁତିପ୍ରୀତିକର କଳନାଦିନୀ।

କଳୁଷହୀନ ଜୀବନାହ୍ଲାଦିନୀ।

ମନ୍ଥରଗାମିନୀ

ସତୀ ସଦୃଶ ଦିଶିଲେ ହ୍ରଦିନୀ।୧୨।

 

କାମ ଶରାଳିରେ ଆକୁଳା ହୋଇ।

ଶଫରୀ ଲୋଚନ ରଙ୍ଗେ ଖେଳାଇ।

ନବୀନସଙ୍ଗମା ରାମା ସଦୃଶୀ।

ଦେଖାଇଲେ କାଶହାସ ପ୍ରକାଶି।

ଶ୍ରୋତସ୍ୱତୀଗଣ

ଅଳ୍ପ ଅଳ୍ପ ଚାରୁ ଉରୁ ପୁଳିନ।୧୩।

 

କେକରୀ ଗିର ତିରସ୍କାର କରି।

ଶୁକରୀ ବାଣୀ ଯିବାରୁ ପ୍ରସରି।

ନଦୀ ଲଙ୍ଘନ ସୁଲଭ ବିଚାରି।

ବିଦେଶୀଏ ଗଲେ ଦ୍ରୁତେ ବାହାରି।

ପ୍ରିୟ ପ୍ରେମ ସ୍ମୃତି

ହରିଲା କି ତାଙ୍କ ଗମନକ୍ଲାନ୍ତି।୧୪।

 

ମଧୁରାଚନ୍ଦ୍ରାବଳୀ(୧) ସୁଶୋଭିତ।

ସଚକ୍ରଲକ୍ଷଣାଦିରେ (୨) ରଞ୍ଜିତ।

ଚନ୍ଦ୍ରକାମ୍ୱୁଜ (୩) ସୁଷମା ସ୍ଫୁରିତ।

ହେବାଯୋଗୁଁ ଜଳାଶୟ ନିଶ୍ଚିତ।

ଶରଦ ସମୟ

ପ୍ରଭାବୁଁ ଦିଶିଲେ ଶ୍ରୀକୃଷ୍ଣ ପ୍ରାୟ।୧୫।

 

(୧) ମଧୁରାଚନ୍ଦ୍ରବଳୀ- ସ୍ୱାଦୁସଲିଳମାନେ; କୃଷ୍ଣ ପକ୍ଷେ ମଧୁରାଚନ୍ଦ୍ରାବଳୀ, ସୁନ୍ଦରୀ ଚନ୍ଦ୍ରାବଳୀ ନାମ ସୁନ୍ଦରୀ।

(୨) ସଚକ୍ରଲକ୍ଷଣାଦିରେ- ଜଳାଶୟପକ୍ଷେ ଚକ୍ରବାକଲକ୍ଷଣା ହଂସୀ ଇତ୍ୟାଦିରେ; କୃଷ୍ଣ ପକ୍ଷେ ଚକ୍ରାଦି ମହାପୁରୁଷ ଲକ୍ଷଣରେ।

(୩) ଚନ୍ଦ୍ରକାମ୍ୱୁଜ- ଜଳାଶୟପକ୍ଷେ ଚନ୍ଦ୍ରକ- ମତ୍ସ୍ୟବିଶେଷ, ଅମ୍ୱୁଜ- ପଦ୍ମ; କୃଷ୍ଣ ପକ୍ଷେ ଚନ୍ଦ୍ରକ- ମୟୁରପୁଚ୍ଛର ଚକ୍ରାକାର ଚିହ୍ନ, ଅମ୍ୱୁଜ ସ୍ପଷ୍ଟାର୍ଥ।

 

ପ୍ରଫୁଲ୍ଲ ସରସୀରୁହବଦନା।

ହଂସବାସପରିଧାନଶୋଭନା।

ବିଶୁଦ୍ଧହୃଦୟା ସରସୀ ନାରୀ।

କୋକନଦ କର ଅଞ୍ଜଳି କରି।

ଧରି କି କହ୍ଲାର

ଶରଦପଦେ ଦିଏ ଉପହାର।୧୬।

 

ଶ୍ଳେଷ୍ମାଜ୍ୱରରୋଗୀ ପରି କାସାର।

ହେଲା ବହିରୁଷ୍ଣ ଅନ୍ତଃଶୀତଳ।

ଲମ୍ୱ ଲମ୍ୱ ନିଶ ଦେଖାଇ ଲୋଳେ।

ପାଠୀନ (୪) ପ୍ରକର ମୋଦେ ଖେଳିଲେ।

ଶକୁଳ(୫) ସଙ୍କୁଳ,

ଲେଉଟି କ୍ଷୋଭିତ କଲେ ସଲିଳ।୧୬।

 

(୪) ପାଠୀନ- ବାଳିଆମାଛ।

(୫) କୁଶଳ- ଶେଉଳମାଛ।

ବ୍ୟସନସାକ୍ତ ମାନବ ସ୍ୱକୀୟ।

ପ୍ରତିଭା ନ୍ୟୂନ ନ ଜାଣିବା ପ୍ରାୟ।

ନିମ୍ନଜଳଚାରୀ ବିଶାରବଂଶ।

କଳି ନ ପାରିଲେ ଜୀବନ ହ୍ରାସ।

ଭକ୍ତଚିତ୍ତ ପରି

କଳୁଷ ହରି ସ୍ୱଚ୍ଛ ହେଲା ବାରି। ୧୮।

 

ଦରପକ୍ୱ ଶାଳୀବନେ କର୍ଷକେ।

କଲେ ସଲିଳ ସଂଗ୍ରହ ଉତ୍ସୁକେ।

ବନ୍ୟ ଜନ୍ତୁଙ୍କୁ ଡରାଇବା ପାଇଁ।

ତୃଣପୁତ୍ତଳିକା ସ୍ଥାପିଲେ ତହିଁ।

ଜଗିବା ସକାଶେ

ସ୍ଥାନେ ସ୍ଥାନେ କଲେ କୁଡ଼ିଆ ତୋଷେ। ୧୯।

 

ଗଞ୍ଜାମରେ ଯଥା ତେଲୁଗୁକୁଳ।

ସ୍ୱଦେଶ ତେଜି ହୋଇଲେ ପ୍ରବଳ

ବନ ଛାଡ଼ି ତଥା ଶଲଭଗଣ।

ଜମିଲେ କେଦାରେ କାଟିବେ ଧାନ।

ସ୍ୱାର୍ଥୀ ପ୍ରାଣିଚୟ

ସହନ୍ତି ନାହିଁ ଅନ୍ୟର ଉଦୟ। ୨୦।

 

ପାଚିଲା ଛୋଟ ଧାନ କେତେ ସ୍ଥଳେ।

ହାଳିକବ୍ରଜ ଆନନ୍ଦ ଲଭିଲେ।

ନାନାବିଧ ଫଳେ ହୋଇ ସଙ୍କୁଳା।

ସୁନ୍ଦର ଦିଶିଲା ମହୀମହିଳା।

ଶରତ୍କାମୀକୁଳ (୧)

(୧) ଶରତ୍କାମୀ - ଶ୍ୱାନ।

ବୁଲିଲେ କାମେ ହୋଇ ମତୁଆଳ। ୨୧।

 

ସୁମନ ମଣ୍ଡନୁ ଶ୍ୱେତଶରୀରା।

ଆପ୍ତାଳି ବେଷ୍ଠନୁ ଆନତଶିରା।

ସୁମରସସ୍ୱେଦସଲିଳସିକ୍ତା।

ଆଶୁଗକମ୍ପିତ ତା ସୁରସଯୁକ୍ତା।

ବିରହଣୀ କାନ୍ତା-

ସଦୃଶ ଦିଶିଲେ ସୁବହାଲତା। ୨୨।

 

ଦୁର୍ଦ୍ଦିନବିମୁକ୍ତ ଶରତ୍‌ପ୍ରଦୋଷ।

ମଳିନତା ତେଜି ବହି ହରଷ।

ଅନନ୍ତାଶ୍ରିତ ଦ୍ୱିଜରାଜ କରେ।

ଜହ୍ନି ସୁମନ ମହୁଡ଼ ସାଦରେ।

ବିତରିବା ପାଇଁ।

ରଖିଛି କି ତା ଆଗମନ ଧ୍ୟାଇ। ୨୩।

 

ସ୍ୱପିତା ସାଗର ବିପଦ ସ୍ମରି।

କ୍ଷୀଣକଳେବର ମୃଗାଙ୍କଧାରୀ।

ବିଶଦ ବକ୍ର କୁସୁମଛଦ୍ମରେ।

ସେବେ କି ଆସି ଅଗସ୍ତ୍ୟ ନଗରେ (୧)।

 

(୧) ଅଗସ୍ତ୍ୟନଗରେ-ପକ୍ଷେ ଅଗସ୍ତ୍ୟ ବୃକ୍ଷେ; ଅନ୍ୟ ପକ୍ଷେ ଅଗସ୍ତ୍ୟଙ୍କ ନଗରେ ପାଟଣାରେ।

 

ଜୟନ୍ତୀ ଫୁଟିଲେ,

ଲଳନା ଲୋଟଣି ଚୁଟା ପ୍ରକାରେ। ୨୪।

 

ଜାତି ସୁମନା ବାସ ଚୋରି କରି।

ଧୀରେ ଆସୁ ବାତ ଜଡ଼ତ୍ନ ଧରି।

ନବକୁସୁମିତା ଚମ୍ପା ବଧୁଲୀ।

କମ୍ପିଲେ ସ୍ୱଶିରୀ ହରିବ ବୋଲି।

ପୁଣି ସେ ଜନଙ୍କ

ଶରୀରେ ବାଜି ଜନ୍ମାଏ ପୁଲକ। ୨୫।

 

ଦୁଗ୍ଧଜଳନିଧିଭଙ୍ଗ ସଦୃଶ।

ହରିଲା ଚିତ୍ତ ପ୍ରଚଳିତ କାଶ।

ସୂର୍ଯ୍ୟମୁଖୀ ସୂର୍ଯ୍ୟଦେବଙ୍କୁ ଚାହିଁ।

ସ୍ୱର୍ଣ୍ଣସ୍ଥାଳୀରେ କି ଅର୍ଘ୍ୟ ଦିଅଇ।

ଫୁଟିଲେ ସତ୍ୱର

ଶୁଣ ଅଶନ ବନ୍ଧୁକ କହ୍ଲାର। ୨୬।

 

ବରତାଶାଣୋଲ୍ଲୀଢ଼ ହୀରକ।

ବର୍ତ୍ତୁଳ ଷଟମାସିକ ମୌକ୍ତିକ।

ଆଭରଣଗଣେ ହୋଇ ଭୂଷିତା।

ସଚନ୍ଦ୍ର ଚନ୍ଦନରସେ ଶୋଭିତା।

ମଲ୍ଲିକା ସୁମନା

ଶ୍ୱେତ ସୁରସାରେ ହୋଇ ଶୋଭନା। ୨୭।

 

ଶକ୍ଳ ମଖମଲ ଆପ୍ରପଦୀନ(୧)।

(୧)ଆପ୍ରପଦୀନ-ଲହଙ୍ଗା।

ମହାଧନ ଚୋଳ ପରି ଗ୍ରହଣ।

ସୁନ୍ଦର ଅଶିତ କୌଷେୟ ଝୀନ।

ପ୍ରଚ୍ଛଦପଟରେ ହୋଇ ମଣ୍ଡନ।

ପାଶ୍ଚାତ୍ୟ ରମଣୀ -

ବସନସଜ୍ଜା ପ୍ରଣାଳୀକି ଜିଣି। ୨୮।

 

ଶରତ୍କାଳୀନ ମହୋତ୍ସବାବଳୀ।

ଦରଶନେ କି ଶ୍ୱେତଦ୍ୱିପ ଶିରୀ।

ଜମ୍ବୁଦ୍ୱିପେ ଆସି ଭ୍ରମେ ହରଷେ।

କେଳତୀକାନ୍ତ କୁତୂହଳବଶେ।

କି ଜୀବନ୍ତ ଦ୍ୱିପ-

ଦନ୍ତପାଞ୍ଚାଳିକା ଖେଳେ ଲୋଲୁପ। ୨୯।

 

ବିଧି ନ୍ତୁଦ ଭୟେ କି ବିଧୁମୂର୍ତ୍ତି।

ସିଦ୍ଧି ପ୍ରଦାତ୍ରୀ କିବା ସରସ୍ୱତୀ।

ଏ ସମୟ ସାର ଶୋଭା ଲୋକନେ।

ଦିବରୁ ଅବତରିଲେ ଭୁବନେ।

କିବା ମଦନର

ଅମୋଘ ବଜ୍ରମୟ ଶକ୍ତିବାର। ୩୦।

 

ଶାରଦୀୟ ଶ୍ୱେତ ମଙ୍ଗଳମୟୀ।

ଶ୍ରୀଦେବୀ ସଦୃଶ ସୁବେଶ ହୋଇ।

ସୁଧାଧବଳିତ ବଳଭି ପରେ।

ସାଜି ସୁପଲ୍ୟଙ୍କ ଶୀତାଂଶୁକରେ।

ସେ ଶୀତାଂଶୁକରେ

ରସିକାମାନେ ରସିଲେ ରସରେ। ୩୧।

 

ସନ୍ଧ୍ୟା ସମୟେ ସ୍ୱସଖୀ ସଙ୍ଗତେ।

ମଜ୍ଜିଲେ କେତେ ଅନୂଢ଼ା ସଙ୍ଗୀତେ।

କେତେ ଯୁବତୀ ମୋଦେ ଉପବନେ।

ଭ୍ରମିଲ ସାନ୍ଧ୍ୟ ସମୀର ସେବନେ।

ରମଣ ସହିତେ

ରସିଲେ କେତେ ଧୀମତି ସାହିତ୍ୟେ। ୩୨।

 

ଦେଖି ଏ ରୀତି ବିରହିଣୀଗଣେ।

କାମାନଳେ ଦଗ୍ଧ ହେଲେ ଦ୍ଵିଗୁଣେ।

ସଞ୍ଚାରିକା(୧) ସଙ୍ଗେ କାମୁକୀମାନେ।

(୧)ସଞ୍ଚାରିକା- ଦୂତି।

ସଙ୍କେତ ସ୍ଥାନକୁ ଗଲେ ବହନେ।

ବିଧବାନିକର

ହବିଷ୍ୟ କରି ହରିଲେ ବାସର। ୩୩।

 

ପୀୟୁଷକର ହୀରକରାଜଡ଼ି।

ତାର ତାରା ମୋତି ଭୂଷଣେ ଜଡ଼ି।

ସିତାଭ୍ର ଅମ୍ବର ପିନ୍ଧ ରଭସେ।

ନୀଳୋତ୍ପଳ ନେତ୍ର ଢାଳି ହରଷେ।

ପୁଷ୍ପିତ ଚାମ୍ପେୟ

ସୁମନସମାଳେ ମଣ୍ଡି ସ୍ୱକାୟ। ୩୪।

 

ସେଫାଳିକାସୁମେ ତଳ୍ପ ଶେଜାଇ।

ଭୃଙ୍ଗ ଝଙ୍କାରେ ମଞ୍ଜୀର ବଜାଇ।

ଶାରିକା ଶୁକୀର ମୃଦୁନିନଦେ।

ପ୍ରଣୟସଙ୍ଗୀତ ଆରମ୍ଭି ମୋଦେ ଯେ।

ଶରଦ ସଙ୍ଗମେ

ପ୍ରକୃତିଦେବୀ କି ଆସଇ ପ୍ରେମେ। ୩୫।

 

ହ୍ରଦୋଦରେ ଶ୍ୱେତପଦ୍ମସମ୍ମିତ।

ନୈଶାକାଶେ ବିଧୁ ହେଉ ଉଦିତ।

ଶରନ୍ନବରାତ୍ର ପୂଜାବିଧାନେ।

ରତ ହେଲେ ଜନେ ପ୍ରମୋଦମନେ ଯେ।

ଶରଦ ପାର୍ବଣ

ଉତ୍ସବେ ମାତିଲେ ସକଳ ଜନ। ୩୬।

 

ଆଢ଼୍ୟ ସନ୍ତାନମାନେ ଅନାହତ (୨)

(୨) ଅନାହତ-ନୂତନ ବସ୍ତ୍ର।

ସ୍ରଜ ଚନ୍ଦନେ ହେଲେ ବିଭୂଷିତ।

ଟଙ୍କା କଉଡି ବିଞ୍ଚି ହରଷରେ।

ମଜ୍ଜିଲେ ଖେଳ କୁତୁକ ରସରେ ଯେ।

ଦୁର୍ବୁଦ୍ଧି ମନୁଷ୍ୟ

କାନ୍ଦି ମଲା ଦ୍ୟୁତେ ହାରି ସର୍ବସ୍ୱ। ୩୭।

 

କାର୍ତିକଦର୍ଶରେ ମକରକେତୁ।

ଅତିଥି ହୁଅନ୍ତେ ଶରଦ ଋତୁ

ରାଟ କଲା କି ବିଶ୍ୱ ଅଳଂକୃତ।

ପ୍ରଦୀପମାଳାରେ ହୋଇ ହର୍ଷିତ।

ନାଳିକା(୧) କପଟେ

ଅସଙ୍ଖ୍ୟ ବାଣ ଶବଦ ପ୍ରକଟେ। ୩୮।

 

(୧) ନାଳୀକ-ନଳି।

ବାରୁଦ(୨) ଧୂମ ମିଶି ସମୀରଣେ।

(୨)ବାରୁଦ-ଦାରୁ।

ପ୍ରସରୁ ଜଗତେ ସ୍ୱେଦଜମାନେ।

ଦୀପ୍ତ ଦୀପ ତାପେ ପତଙ୍ଗବଂଶ।

ନାଶ ଗଲେ ଶୁଭ୍ର ହେଲା ଆକାଶ ଯେ।

ମାନବନିଚୟ

ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଲଭିଲେ ନିଶ୍ଚୟ। ୩୯।

 

ଜ୍ୱଳନାଲୋକେ ଶରଘା(୩) ପ୍ରକର।

(୩) ଶରଘା- ରମାଞ୍ଚ

ମଧୁଛତ୍ର ଛାଡ଼ି ଯିବା ପ୍ରକାର।

ଆମନ୍ତ୍ରିତ ପିତୃନିକର ସ୍ୱର୍ଗେ।

ଗମିଲେ ମୋଦେ ବିହାୟସ ମାର୍ଗେ

ନିମନ୍ତ୍ରିତ ବିପ୍ରେ

ପେଟଟି ପୂରାଇ ଗଲେ ସ୍ୱପୁରେ। ୪୦।

 

ପଦ୍ମପୂର୍ଣ୍ଣ ସରସେ ଅବଗାହ।

ନିତ୍ୟ ହଂସୋଦକ ସେବନ ଶ୍ରେୟ।

ଘର୍ମଯୁକ୍ତ ପ୍ରଦେଶରେ ବିଶ୍ରାମ।

ମଦ୍ୟ ସେବନ ବହୁ ପରିଶ୍ରମ ଯେ।

ରାତ୍ରିରେ ପ୍ରୟାଣ,

ଦିବସନିଦ୍ରା ଅନୁଚିତ ଜାଣ। ୪୧।

 

ବଥୁଆ ପୋଇ ଲେଉଟିଆ ଶାକ।

ପଟୋଳ

ମିଷ୍ଟ ବିମ୍ବ ଶୃଙ୍ଗାଟକ (୪)

(୪)ଶୃଙ୍ଗାଟକ-ଶିଙ୍ଗଡ଼ା।

ଲୋହିତଶାଳୀ ଗହମ ପିଆଜ।

ପକ୍ୱ କପିଥ୍ହ ଲେମ୍ବୁ ତରଭୁଜ।

ଲକୁଚ(୫) ଡ଼ାଳିମ୍ବ।

(୫)ଲକୁଚ-ଟଭା।

ଜମ୍ବୁ କଦଳୀ ସିତାଫଳ ସେବ୍ୟ। ୪୨।

 

ଅଜଦୁଗ୍ଧ ଗବ୍ୟ ଘୃତ ପ୍ରାୟସ।

ଦ୍ରାକ୍ଷା ମୃଦୁ ନାରୀକେଳ ତା ରସ।

ପାନକ ଝିଲେପି ସିତା ପିଷ୍ଟକ।

ମୁଗ ମିଷ୍ଟାନ୍ନ ହୃଦୟହାରକ।

କ୍ଷୁଦ୍ର ହରିତକୀ।

ସୁପଥ୍ୟ ସମରିଚ ଆମଳକୀ। ୪୩।

 

ତିତ୍ତିର ଲାଉ ହାରୀତର ମାଂସ।

କୁରଙ୍ଗ ବାତାମୃଗ ଛାଗ ଶଶ।

ମଦ୍‌ଗୁର ଗଡ଼କ ଶଫରୀଚୟ।

 

ଶରଦେ ସେବନ କରିବା ଶ୍ରେୟ।

ଏହା ଆୟୁର୍ବେଦ-

ରୀତିମତେ ଅଟେ ସ୍ୱାସ୍ଥ୍ୟସୁଖଦ। ୪୪।

 

ସମସ୍ତ ପ୍ରକାର ସଖ୍ୟୋତ୍ପାଦକ।

ସମଧିକୋତ୍ସବେ ହୃଦହାରକ।

ସମ ଶୀତୋଷ୍ଣ ଏ ଶରଦକାଳ।

ସମାନ କଲା ରଜନୀ ବାସର।

ସମଗ୍ର ମନୁଷ୍ୟେ

ସନ୍ତୋଷ ଲଭିଲେ ରାଜେନ୍ଦ୍ର ଭାଷେ। ୪୫।